ଆଉ ଦୁଇ ଦିନ ଗ୍ରୀଷ୍ମ ପ୍ରବାହ,ଏପ୍ରିଲ ୨ରୁ ୫ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଉ ଦୁଇ ଦିନ ଜାଳିବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ କଲବଲ ହେଉଛନ୍ତି ରାଜ୍ୟବାସୀ । ଗତକାଲି ସମ୍ବଲପୁରରେ ୪୨ ଡିଗ୍ରୀ ଟପିଛି ତାପମାତ୍ରା । ଗତ ୨୪ ଘଣ୍ଟାରେ ୧୨ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ଆଗାମୀ ୨ ଦିନ ଯାଏଁ ବର୍ଷାର ସମ୍ଭାବନା ନାହିଁ । ଏପ୍ରିଲ ୨ ତାରିଖରୁ ପାଗରେ ପରିବର୍ତ୍ତନ ହେବ ।
୨ ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ତେବେ ଏପ୍ରିଲ ୨ ପୂର୍ବରୁ ଦିନ ତାପମାତ୍ରା ୧ ବା ୨ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
୨ ତାରିଖରେ କୋରାପୁଟ ଓ ମାଲକାନଗିରିର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୩ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୪ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଜପତିରେ ବର୍ଷା ହେବ । ୫ରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବର୍ଷା ସମ୍ଭାବନା ଅଛି ।
Also read: ତାତିରେ ଲାଗିବ ବ୍ରେକ, ୧୯ରୁ ୨୨ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା