ଅଗ୍ନିବର୍ଷା ସହ ଝଡ଼ : ଆଗାମୀ ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାରେ ବଳବତ୍ତର ରହିବ ହିଟ୍ ୱେଭ ୱାର୍ଣ୍ଣିଂ

ଭୁବନେଶ୍ବର : ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୮ଟି ସହରର ତାପମାତ୍ରା । ସବୁଠୁ ଉତ୍ତପ୍ତ ସହର ଅନୁଗୁଳ । ଏଠାରେ ତାପାମତ୍ରା ୪୧ ଦଶମିକ ୯ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି । ଟିଟଲାଗଡରେ ପାରଦ ୪୧ ଡିଗ୍ରୀ ଛୁଇଁଛି । ରାଜଧାନୀ ଭୁବନେଶ୍ୱରରେ ୩୯ ଦଶମିକ ୬ ଡିଗ୍ରୀ ଓ କଟକରେ ୩୯ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ବଳବତ୍ତର ରହିବ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ । ରାଜ୍ୟର ୯ଟି ଜିଲ୍ଲା ପାଇଁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ଉତ୍ତର ଓଡ଼ିିଶାରେ ଗରମ ଅଧିକ ରହିବ । ତେବେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ । ଆସନ୍ତା ୨୩ ତାରିଖ ପରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଅନ୍ଯପଟେ ୨ ମାସରେ ରାଜ୍ୟରେ ଅଂଶୁଘାତରେ ୪୨ ଜଣଙ୍କ ମୃତ୍ୟୁ ଅଭିଯୋଗ । ଏପ୍ରିଲରୁ ଜୁନ୍‌ ମାସ ମଧ୍ୟରେ ଅଂଶୁଘାତରେ ୪୨ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି । ସେଥିରୁ ତଦନ୍ତ ପରେ ୭ଟି ଅଂଶୁଘାତ ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ ହୋଇଛି । ସେହିପରି ଗତ ୮ ଦିନରେ ଅଂଶୁଘାତରେ ୭ ଜଣଙ୍କ ମୃତ୍ୟୁ ନେଇ ଅଭିଯୋଗ ଆସିଥିବା ଡେପୁଟି ଏସଆରସି ପି.ଆର୍‌. ମହାପାତ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.