ଡେଙ୍ଗୁ ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ବଡ ପଦକ୍ଷେପ, ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ଚିଠି

ଭୁବନେଶ୍ୱର : ରାଜ୍ଯରେ ଚିନ୍ତା ବଢ଼ାଉଛି ଡେଙ୍ଗୁ । ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏବେ ତତ୍ପର ସ୍ୱାସ୍ଥ୍ୟ ବିଭାଗ । ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ଯେଉଁ ଅଞ୍ଚଳରେ ଡେଙ୍ଗୁ ହଟ୍ ସ୍ପଟ୍ ରହି ଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ କରିବା ସହ ସେଠାରେ ସର୍ବେକ୍ଷଣ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିନସରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ।
ଚିଠିରେ କୁହାଯାଇଛି, ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣ ବଢୁଛି । ତେଣୁ ଆଗୁଆ ସତର୍କତା ପଦକ୍ଷେପ ସ୍ବରୂପ ଆବଶ୍ୟକ ସଂଖ୍ୟକ ଫ୍ରଣ୍ଟଲାଇନ ୱାର୍କର, ଡାଏଗ୍ନୋଷ୍ଟିକ୍ କିଟ୍, ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ । ଜିଲ୍ଲା ଓ ମ୍ୟୁନିସିପାଲ ସ୍ତରରେ ସବୁ ଅଂଶୀଦାରମାନଙ୍କୁ ନେଇ ବୈଠକ କରି ଯୁଗ୍ମ ଆକ୍ସନ୍ ପ୍ଲାନର ସମୀକ୍ଷା କରିବାକୁ କୁହାଯାଇଛି ।
ଜନସାଧାରଣଙ୍କୁ ସଚେତନ କରିବା ସହ କିଟ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଅନ୍ୟ ସହଯୋଗୀ ବିଭାଗ ସହ ସମନ୍ବୟ ରକ୍ଷା କରିବା, ଟେଷ୍ଟିଂ, ଚିକିତ୍ସା ଓ ଠିକ୍ ସମୟରେ ରେଫରାଲକୁ ଗୁରୁତ୍ବ ଦିଆଯିବା ସହ ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ଓ ବ୍ଳକ୍ ଆରଆରଟି ଦଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡେଙ୍ଗୁ-ମ୍ୟାଲେରିଆ ସଂକ୍ରମଣକୁ ରୋକିବା ଲାଗି ଏହାର ଉତ୍ସକୁ ନଷ୍ଟ କରିବା ସହ ରକ୍ତ ଭଣ୍ଡାରରେ ରକ୍ତ ସଂରକ୍ଷିତ ରଖିବା ନେଇ ଗୁରୁତ୍ୱ ଦିଆଯାଇଛି । ହସ୍ପିଟାଲରେ ସ୍ବତନ୍ତ୍ର ସ୍ବତନ୍ତ୍ର ଭାବେ ଡେଙ୍ଗୁ ୱାର୍ଡ ଖୋଲିବା ଓ ମଶା ଉପଦ୍ରବରୁ ନିଜକୁ ସୁରକ୍ଷିତ କରିବା, ସାପ୍ତାହିକ ଡ୍ରାଏ ଡେ’ ପାଳନ ଲାଗି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ।
ସେପଟେ ଡେଙ୍ଗୁ ନିୟନ୍ତ୍ରଣକୁ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣରେ ଅଛି । ମଶା ଅଣ୍ଡା ସ୍ଥାନରେ ମଶା ତେଲ ପକାଯାଉଛି । ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି । ଶୁଖିଲା ଦିବସ ପାଳନ ହେଉଛି । ପାର୍କ ଗୁଡିକରେ ଗଛ ଲତା ବଢ଼ିଗଲାଣି । ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପାର୍କ ମେଣ୍ଟେନାନ୍ସ ଦାୟିତ୍ୱ ଦିଆଯାଇଥିଲା । ସେମାନେ ଠିକରେ ଦାୟିତ୍ଵ କରିପାରୁନଥିବା ଅଭିଯୋଗ ଆସିଛି । ବିଏମସି ଏନେଇ ନିଜେ ପଦକ୍ଷେପ ନେବ। ବର୍ଷା ଯୋଗୁଁ ଗଛ , ଘାସ ଜଲଦି ବଢିଯାଉଛି । ହେଲେ ବିଏମସି ଡେଙ୍ଗୁ ଓ ମଶା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଥିବା ବିଏମସି ମେୟର କହିଛନ୍ତି।