ଜଗତସିଂହପୁର ଜ଼ିଲ୍ଲାରେ ବଢ଼ିଲାଣି ଗରମ, ପାନୀୟଜଳକୁ ନେଇ ଚିନ୍ତାରେ ଲୋକେ

ବଢ଼ିଲାଣି ଗରମ, ପାନୀୟଜଳକୁ ନେଇ ଚିନ୍ତାରେ ଲୋକେ । ଜଗତସିଂହପୁର ଜିଲ୍ଲାରେ ପାନୀୟଜଳର ସଙ୍କଟ ଦେଖା ଦେଇଛି । ବସୁଧା ଯୋଜନାରେ ଗାଁ ଗାଁ ରେ ଓଭରହେଡ ପାଣି ଟାଙ୍କି ରହିଛି । ମାତ୍ର କେଉଁଠି ଏହା ଅଚଳ ହୋଇ ପଡି ରହିଛି ତ ଆଉ କେଉଁଠି ନିର୍ମାଣ କାର୍ଯ୍ୟ ସରିଥିଲେ ବି କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ।
ଜଗତସିଂହପୁର ବ୍ଲକରେ ପାନୀୟଜଳ ଯୋଗାଣ ପାଇଁ ମୋଟ ୬୭ଟି ଓଭରହେଡ ଟାଙ୍କି ନିର୍ମାଣ କରାଯାଇଛି । ସେଥି ମଧ୍ୟରୁ ୨୧ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ସେହିପରି ବାଲିକୁଦା ଓ କୁଜଙ୍ଗ ବ୍ଲକରେ ୨ଟି ମେଗା ୱାଟର ପ୍ରୋଜେକ୍ଟ ମାଧ୍ୟମରେ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ତଳମୁଣ୍ଡ ଗାଁ ଗୁଡିକରେ ପାନୀୟ ଜଳ ସାତ ସପନ ହୋଇରହିଛି । ଅନ୍ୟପଟେ ଆଗକୁ ଖରାର ପ୍ରକୋପ ବଢିବା ସାଙ୍ଗକୁ ଜଳକଷ୍ଟ ଜନ ଜୀବନକୁ କଲବଲ କରିବ ବୋଲି ଆଶଙ୍କା କରିଛନ୍ତି ଲୋକେ ।
ଏ ହେଉଛି ରଘୁନାଥପୁର ବ୍ଲକ ରାଢଙ୍ଗ ଗାଁର ଦୃଶ୍ୟ । ଏଠାରେ ଓଭରହେଡ ପାଣି ଟାଙ୍କି ଅଛି ମାତ୍ର ଅଳ୍ପଦିନ ଚାଲିବା ପରେ ଏହା ଅଚଳ ହୋଇ ପଡି ରହିଛି । ଗାଁରେ ପାଣି ପାଇଁ ଷ୍ଟାଣ୍ଡପୋଷ୍ଟ ଥିଲା ମାତ୍ର ପାଣି ନଆସିବାରୁ ଏହା ଭାଙ୍ଗିରୁଜି ଗଲାଣି । ଅନ୍ୟପଟେ ନିକଟରେ ଆଉ ଏକ ଓଭରହେଡ ପାଣିଟାଙ୍କି ନିର୍ମାଣ କରାଯାଇଥିବା ବେଳେ ଏହା କାର୍ଯ୍ୟକାରୀ ହୋଇ ପାରୁନାହିଁ । ଏଠିକାର ଠିକାଦାର ପାଣି ପାଇପ ପକାଇ ଫେରାର ହୋଇଯଇଛି । ଯାହା ଫଳରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ ।
ଖରାଦିନକୁ ଦୃଷ୍ଟିରେ ରଖି ପାନୀୟଜଳ ଯୋଗାଣରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଗାଁ ଲୋକେ । ଯେଉଁଠି ପାଣିର ସମସ୍ୟା ରହିଛି ସେଠାରେ ଖୁବଶୀଘ୍ର ପାଇପ ଯୋଗେ ପାଣି ଯୋଗାଇ ଦେବା ସହିତ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର ଜରିଆରେ ମଧ୍ୟ ପାନୀୟଜଳ ଯୋଗାଇ ଦେବା ନିମନ୍ତେ ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ପାନୀୟଜଳ ସଙ୍କଟ ପରି ସମ୍ବେଦନଶୀଳ ଘଟଣାରେ ପ୍ରଶାସନ ତତ୍ପରତା ପ୍ରକାଶ କରିବା ସହିତ ଲୋକଙ୍କ ନିକଟରେ ପାନୀୟଜଳ ତୁରନ୍ତ ପହଞ୍ଚାଇବା ଜରୁରୀ ହୋଇ ପଡିଛି । ନଚେତ୍ ଆଗକୁ ପାଣି ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ।