ଜାଡ଼ରେ ଥରୁଛି ସାରା ଓଡ଼ିଶା, ଆଭ୍ୟନ୍ତରୀଣରୁ ଉପକୂଳ ସବୁଠି ଶୀତର ପ୍ରକୋପ

ଭୁବନେଶ୍ୱର : ଜାଡ଼ରେ ଥରୁଛି ସାରା ଓଡ଼ିଶା । କମୁଛି ପାରଦ, ବଢୁଛି ଶୀତ । ଆଭ୍ୟନ୍ତରୀଣରୁ ଉପକୂଳ ସବୁଠି ଶୀତର ପ୍ରକୋପ । ଆଜିଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଏହା ଦ୍ବାରା ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି । ଆସନ୍ତା ସପ୍ତାହେ ଯାଏଁ ଅର୍ଥାତ ୯ ତାରିଖ ଯାଏ ପାଗ ଶୁଖିଲା ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଅନୁଭୂତ ହେବ। କେତେକ ସ୍ଥାନରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଉରକେଲାରେ ରାଜ୍ୟରେ ସବୁଠୁ ଅଧିକ ଶୀତ ଅନୁଭୂତ ହୋଇଛି । ସେଠାରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୭.୮, କେନ୍ଦୁଝରରେ ୭.୮, ଫୁଲବାଣୀରେ ୭.୫, ଦାରିଙ୍ଗବାଡ଼ିରେ ୮.୫, ସୁନ୍ଦରଗଡ଼ର କିରେଇରେ ୯.୯, କୋରାପୁଟରେ ୧୧.୧ ବାଲେଶ୍ୱରରେ ୧୨, ସମ୍ବଲପୁରରେ ୧୨, ହୀରାକୁଦରେ ୧୨, କଟକରେ ୧୨.୪, ଜଗତସିଂହପୁରରେ ୧୩.୨, ଚାନ୍ଦବାଲିରେ ୧୩.୫ ଓ ଭୁବନେଶ୍ୱରରେ ତାପମାତ୍ରା ୧୪ ଡିଗ୍ରି ରେକର୍ଡ କରାଯାଇଛି ।