ଲଗାଣ ବର୍ଷା ଯୋଗୁ ବେହାଲ ସାରା ରାଜ୍ୟ: ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ, ଜମିବାଡ଼ି ଉବୁଟୁବୁ

କେନ୍ୟୁଜ:ପ୍ରବଳ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା। ଦୁଇ ଦିନ ହେଲା ଲଗାଣ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ । ଜମିବାଡ଼ି ଚାରିଆଡେ ପାଣି। ସହରର ବିଭିନ୍ନ ୱାର୍ଡରେ ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି। ଦମକଳ ବାହିନୀ ପହଞ୍ଚି ବିଭିନ୍ନ ଓ୍ଵାର୍ଡରୁ ପାଣି ନିଷ୍କାସନ କରୁଛନ୍ତି ।
ସେହିପରି ଲଗାଣ ବର୍ଷା ଯୋଗୁ ଖୋର୍ଦ୍ଧାରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ । ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ପ୍ରବଳ ବର୍ଷା ଯୋଗୁ ସାମନ୍ତରାପୁର ଉପରସାହି, ତଳସାହି, ନୂଆ ବସଷ୍ଟାଣ୍ଡ, ମାର୍କେଟ କମ୍ପେକ୍ସ ବର୍ଷା ପାଣିରେ ଉବୁଟୁବୁ ହେଉଛି । ଗୁୁରୁଜଙ୍ଗରୁ ନୂଆଗାଁ ରାସ୍ତା ଉପରେ ୨ ଫୁଟର ପାଣି ଚାଲୁଛି ।
ସେହିପରି ଜଗତସିଂହପୁରରେ ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ମୋଟ ୧୮୭୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀରେ ସେମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ପାଣିଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ବିଡିଓ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୩ଟି ଗାଁ ଜଳବନ୍ଦୀ ହୋଇ ରହିଛି।