ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଭୁବ‌ନେଶ୍ବର : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ୨୪ ଘଣ୍ଟା ହେବ ରାଜ୍ୟରେ ଲଗାତର ବର୍ଷା ହେଉଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅବିରତ ବର୍ଷା ହେଉଛି । ଆଜି ଆହୁରି ବର୍ଷାର ପରିମାଣ ବଢିବ । ୫ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଓ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଆଜି ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ । ଏହି ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗତକାଲିଠାରୁ ପ୍ରବଳ ବର୍ଷା ଲାଗି ରହିଛି । ରାତି ସାରା ବର୍ଷା ହେଉଛି । ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ହୋଇଛି । ଅନେକ ସ୍ଥାନ ଜଳବନ୍ଦୀ ଅବସ୍ଥାରେ ରହିଛି ।

ଏହା ବ୍ୟତୀତ ଆଜି ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଧା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଭଦ୍ରକ‌, ୨୫ରେ ସୋନପୁର, ବଲାଙ୍ଗୀର, ନବରଙ୍ଗପୁର, ‌କୋରାପୁଟ, କଳାହାଣ୍ଡି, ଅନୁଗୁଳ, କନ୍ଧମାଳ, ବୌଦ୍ଧ ଓ ମୟୂରଭଞ୍ଜ, ୨୬ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ। ତେବେ ୨୭ ତାରିଖ ଅର୍ଥାତ ଦୀପାବଳି ବେଳକୁ ପାଗ ଶୁଖିଲା ରହିବ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଏହା ସହିତ ୨୫ ତାରିଖ ରାତିରେ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି କମିବ। ଫଳରେ ଶୀତ ଅନୁଭୂତ ହେବ। ୨୬ ତାରିଖରେ ତାପମାତ୍ରା ସାମାନ୍ୟ ବଢ଼ିଲେ ମଧ୍ୟ ପରବର୍ତ୍ତୀ ୪ ଦିନ ତାହା ଅପରିବର୍ତ୍ତିତ ରହିବ। ୨୪ରୁ ୨୭ ଯାଏ ପଶ୍ଚିମ ଓଡ଼ିଶାରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବି‌ଶେଷ କମିବା ହେତୁ ପାଗ କୋହଲା ରହିବ। ଗତ ୩୬ ଘଣ୍ଟାରେ ପୁରୀରେ ସର୍ବାଧିକ ୧୧୫.୨ ମିମି ବର୍ଷା ହୋଇଛି। ଏହାବ୍ୟତୀତ ଗୋପାଳପୁରରରେ ୭୦.୭, ବାଲେଶ୍ବରରେ ୩୪.୮, ଭୁବନେଶ୍ବରରେ ୩୧.୧, ପାରାଦୀପରେ ୨୬.୧, ବାରିପଦାରେ ୨୦.୪, କଟକ ଓ ଦାରିଙ୍ଗବାଡ଼ିରେ ୧୪, ଚାନ୍ଦବାଲିରେ ୧୦.୫ ମିମି ବର୍ଷା ରେକର୍ଡ କରାଯାଇଛି। ବାକି ସ୍ଥାନରେ ବି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।