ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ, ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ ।  ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି ।  ଆଜି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲା ଓ ୨୮ ତାରିଖରେ ୧୧ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବର୍ତ୍ତମାନ ପଶ୍ଚିମବଙ୍ଗ ଗାଙ୍ଗେୟ ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପ ସକ୍ରିୟ ରହିଛି ।  ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଆଡ଼କୁ ମୁହାଁଇବ । ଏହାର ପ୍ରଭବରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଅନ୍ୟପଟେ ଆସନ୍ତା ୨୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ।  ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ । ୨୯ ଓ ୩୦ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ଅତିପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି  ।  ଆସନ୍ତା ସେପଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।  ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।