ଫେରିଲା ମୌସୁମୀ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି କଟକ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ରାୟଗଡ଼ା ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷାର ସମ୍ଭାବନା ରହିଛି । ଘଡ଼ଘଡ଼ି ସହ ବର୍ଷା ହେବ । ଏହି ସମୟରେ ବଜ୍ରପାତର ସମ୍ଭାବନା ଥିବାରୁ ଜନସାଧାରଣ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଗତ ରାତିରୁ କଟକ, ଜଗତସିଂହପୁର ଆଦି ଜିଲ୍ଲାରେ ବର୍ଷା ଜାରି ରହିଛି ।

ସେପଟେ ପ୍ରାୟ ୧୧ ଦିନ ଧରି ନିରୁଦ୍ଦିଷ୍ଟ ରହିବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତକାଲିଠାରୁ ଦେଶର କେନ୍ଦ୍ରାଞ୍ଚଳରେ ସକ୍ରିୟ ହୋଇଛି । ଆସନ୍ତା ୨୯ ତାରିଖ ସୁଦ୍ଧା ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ମୌସୁମୀ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ତରଫରୁ ସୂଚନା ଦିଆଯାଇଛି । ତେବେ ଜୁଲାଇ ମାସରେ ଭଲ ବର୍ଷା ହେବ ଏବଂ ବର୍ଷାର ପରିମାଣ ୧୦୧ ପ୍ରତିଶତ ବର୍ଷା ରହିବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ମୋଟ୍ ବର୍ଷାର ପରିମାଣ ୯୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଠିକଣା ସମୟରେ ମୌସୁମୀ ସକ୍ରିୟ ନହେବାରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୧୧ ପ୍ରତିଶତ କମ୍ ବର୍ଷା ରେକର୍ଡ଼ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.