ଗଭୀର ଅବପାତର ରୂପ ନେଲା ଅବପାତ, ୧୨ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଲର୍ଟ

ଭୁବନେଶ୍ୱର : ଗଭୀର ଅବପାତର ରୂପ ନେଲା ଅବପାତ । ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଗଭୀର ଅବପାତ । ପୁରୀଠାରୁ ୧୧୦ କିମି ଦୂରରେ ରହିଛି ଗଭୀର ଅବପାତ । ଗୋପାଳପୁରରୁ ୧୫୦ ଓ ପାରାଦୀପରୁ ୧୬୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ଅବପାତ । ମଧ୍ୟାହ୍ନରେ ପୁରୀ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଭୀଷଣ ବର୍ଷା ପାଇଁ ଆଜି ୫ ଜିଲ୍ଲା ପୁରୀ,ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ଢେଙ୍କାନାଳକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୧୧ ପର୍ଯ୍ୟନ୍ତ ସମୁଦ୍ର ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।
ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପ୍ରବଳ ବର୍ଷା ଯୋଗୁଁ ଉପକୂଳ ଜିଲ୍ଲାର ତଳି ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି । ତେବେ ଆଜି ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।