ପୁରୀ(କେନ୍ୟୁଜ): ଶ୍ରୀକ୍ଷେତ୍ର ଲୋକାରଣ୍ୟ । ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି, ଶଙ୍କଧ୍ୱନି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ପରିବେଶ । ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ଭୋରରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି । ଧାଡ଼ି ପହଣ୍ଡିରେ ସ୍ନାନପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ଅଣାଯାଇଥିଲା। ଶେଷରେ ଝୁଲି ଝୁଲି ଆସିଥିଲେ କାଳିଆ ସାଆନ୍ତେ ।
ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ ଗରା ଜଳରେ ସ୍ନାନ କରାଯିବା ପାଇଁ ସରିଛି ପ୍ରସ୍ତୁତି । ଆଉ ଏହାପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯିବ । ଏହି ଅବସରରେ ପୁରୀରେ ଆରମ୍ଭ ହୋଇଛି ବର୍ଷା । ବର୍ଷା ହେବା ସହିତ ସବୁଠି ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଲାଗୁଛି ଯେମିତି ଆକାଶରୁ ଅଜାଡି ହେଉଛି ଆଶୀର୍ବାଦ ।
ବଡ଼ଦାଣ୍ଡ ଏପରି ହୋଇଛି ଯେ ଲାଗୁଛି ବର୍ଷାକୁ ଆଶୀର୍ବାଦ ଭାବେ ଭାବୁଛନ୍ତି ଶ୍ରଦ୍ଧାଳୁ । ଏତେ ଖରା ଗରମକୁ ଖାତିର ନକରି ଭକ୍ତ ଛୁଟି ଆସିଛନ୍ତି ମହାବାହୁଙ୍କୁ ଟିକେ ଦର୍ଶନ କରିବାକୁ । ଆଉ ଏହାରି ଭିତରେ ଭକ୍ତଙ୍କ ଉପରେ ବର୍ଷା ରୁପକ ଆଶୀର୍ବାଦ ଅଜାଡି ଦେଇଛନ୍ତି କଳାସାଆନ୍ତ । ଯାହା ଭକ୍ତଙ୍କ ଭିତରେ ଆହୁରୀ ଉତ୍ସୁକତା ଖେଳାଇ ଦେଇଛି।