ବର୍ଷୁଛି, ଆହୁରି ବର୍ଷିବ: ୩୧ରେ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର :  ବର୍ଷୁଛି, ଆହୁରି ବର୍ଷିବ ।  ୩୧ରେ ବଙ୍ଗୋପସାଗର ଉପରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ ।  ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ।  ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଏହା ପ୍ରଭାବରେ ବଢିବ ବର୍ଷାର ପରିମାଣ ।  ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ ଜିଲ୍ଲା କଟକ, ଢେଙ୍କାନାଳ, ନୟାଗଡ଼, ଅନୁଗୁଳ ଓ ଯାଜପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ୧୨ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି ।  ଅଗଷ୍ଟ ୧ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ଓ ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ।  ଏହା ସହ ଉତ୍ତର ଛତିଶଗଡ଼ ଉପରେ ରହିଛି ଘୂର୍ଣ୍ଣିବଳୟ ।  ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି ।

ଆସନ୍ତା ୪ ଦିନ ଯାଏ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଗତକାଲି ସନ୍ଧ୍ୟାରେ ଦେଢ ଘଣ୍ଟା ଧରି ରାଜଧାନୀରେ ପ୍ରବଳ ବର୍ଷା ହୋଇଥିଲା ।  ଫଳରେ ଜଳମଗ୍ନ ହୋଇଯାଇଥିଲା ପୁରା ସହର ।  ରାସ୍ତା ଉପରେ ଚାଲିଥିଲା ଆଣ୍ଠୁଏ ଉଚ୍ଚର ପାଣି ।  ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍ ହୋଇଥିଲା ।  ଏପଟେ ବର୍ଷା ସତ୍ତ୍ବେ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।  ଗୋଟିଏ ଜିଲ୍ଲା ମାଲକାନଗିରିରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୩ଟି ଜିଲ୍ଲାରେ ଅଧିକ, ୧୫ ଜିଲ୍ଲାରେ ସ୍ବାଭାବିକ ଓ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।