ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଜିଠୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର : ଆଜିଠୁ ବଢିବ ବର୍ଷାର ପରିମାଣ । ଘୂର୍ଣ୍ଣିବଳୟ ପ୍ରଭାବରେ ବଢିବ ବର୍ଷା । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଘନୀଭୂତ ହୋଇ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଆଜି ୫ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କେନ୍ଦୁଝର, ଦେବଗଡ଼, ଅନୁଗୁଳ ଢେଙ୍କାନାଳ, ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି । ଅଗଷ୍ଟ ୧ରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ ଜିଲ୍ଲା ଓ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ପାଞ୍ଚଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ବର୍ଷା ସତ୍ତ୍ବେ ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଚଳିତ ମୌସୁମୀ ଋତୁରେ ୪୮୫. ୩ ମିମି ବୃଷ୍ଟିପାତ ହୋଇଛି । ଏହି ସମୟରେ ସ୍ବାଭାବିକ ବୃଷ୍ଟିପାତ ପରିମାଣ ୫୩୯.୨ ମିମି ହୋଇଥିବା ବେଳେ ଏହା ୧୦ ପ୍ରତିଶତ ନିଅଣ୍ଟିଆ । ମାଲକାନଗିରିରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୩ଟି ଜିଲ୍ଲାରେ ଅଧିକ, ୧୫ ଜିଲ୍ଲାରେ ସ୍ବାଭାବିକ ଓ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।.