ଶୀତ ଦିନରେ ସାମୁଦ୍ରିକ ଝଡ଼କୁ ନେଇ ଛନକା: ୩ରୁ ତିନି ଦିନ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ, ବନ୍ୟା ଆଶଙ୍କା !

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶା ପ୍ରତି ବଢୁଛି ବାତ୍ୟା ବିପଦ । ୩ ତାରିଖରୁ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିବ ପ୍ରଭାବ । ୩ ତାରିଖରୁ ୩ଦିନ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ହେବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବେଶୀ ପ୍ରଭାବ ରହିବ ବୋଲି କହିଛି ପାଣିପାଗ ବିଭାଗ । ୩ ତାରିଖରେ ୪ ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ । ଏସବୁ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ସେହିପରି ୪ ତାରିଖ ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ସତର୍କତା ଦେଇଛି ପାଣିପାଗ ବିଭାଗ । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ବର୍ଷିବ । ୪ ତାରିଖରେ ସର୍ବାଧିକ ପ୍ରଭାବ ଓଡ଼ିଶାରେ ରହିବ ବୋଲି ଆଇଏମଡି କହିଛି ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷିବ । ବନ୍ୟା ଆଶଙ୍କା କରାଯାଉଛି । ତଳି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ବି ରହିଛି । କଚା ଘର କାନ୍ଥ ଭୁଶୁଡ଼ିବା ସହ ରାସ୍ତାଘାଟ ପ୍ରଭାବିତ ହୋଇପାରେ । ବ୍ୟାପକ ଫସଲ ହାନୀ ଆଶଙ୍କା ରହିଛି । ବିଲରୁ ଧାନ ଫସଲ କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଉଛି । ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ଓ ସଜାଗ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ଡିସେମ୍ବରରେ ବାତ୍ୟା । ଶୀତ ଦିନରେ ସାମୁଦ୍ରିକ ଝଡ଼କୁ ନେଇ ଛନକା ପଶିଛି । ବେଉଷଣ ବେଳେ ବରଷିଲାନି । ଏବେ ଅମଳ ବେଳକୁ ବାତ୍ୟା ଚାଷୀଙ୍କ ଚିନ୍ତା ବଢ଼ାଇଛି ।

Leave A Reply

Your email address will not be published.