ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ଜନଜୀବନ: ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ତୁଷାରପାତ

ବଣାଇ/କରଞ୍ଜିଆ: ବଦଳିଲା ପାଗର ମିଜାଜ୍‌ । ଧିରେ ଧିରେ ଖସୁଛି ପାରଦ, ବଢ଼ୁଛି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ବିଭିନ୍ନ ସ୍ଥାନରେ ଅନୁଭୂତ ହେଲାଣି ହାଡଭଙ୍ଗା ଶୀତ । ଶୀତର ଚାଦର ତଳେ ଏବେ ସାରା ଓଡ଼ିଶା । ଖସୁଛି ରାତିର ତାପମାତ୍ରା । ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି ସହ ଦୃଶ୍ୟମାନ ହେଲାଣି ତୁଷାରପାତ । ତୁଷାରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ଦେଖିବେ କେବଳ ଧଳା ଚାଦର ଘୋଡାଇ ହୋଇରହିଛି ମାଟି ଉପରେ ।

ସୁନ୍ଦରଗଡ ଜିଲ୍ଲା କୋଇଡା ଅଂଚଳରେ ଚଳିତ ବର୍ଷର ଭୀଷଣ ତୁଷାରପାତ ଦେଖିବାକୁ ମିଳିଛି । ରାତ୍ରିରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ କୋଇଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ହୋଇଛି । ଖୋଲା ପଡ଼ିଆ ,ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଖଣି ଅଞ୍ଚଳ ହୋଇଥିବାରୁ ବିଶେଷ କରି ରାତି ସିପ୍ଟ , ଓ ସକାଳୁ କାର୍ଯ୍ୟକୁ ଯାଉଥିବା ଶ୍ରମିକ, କର୍ମଜୀବୀ ତଥା ବୃଦ୍ଧ ବୃଦ୍ଧାମାନେ ବେଶୀ ଡହଳବିକଳ ହେବାର ନଜିର ରହିଛି । କୋଇଡାର ଟେନସା , କାଲଟା , ମାଲଦା , କୋଇଡା ହେଡକ୍ଵାଟର୍ସ, କାଶୀରା  ପ୍ରମୁଖ ପାରଦ ଖସି ଅତ୍ୟଧିକ ମାତ୍ରାରେ ତୁଷାର ପାତ ଦେଖିବାକୁ ମିଳିଛି । ପୂର୍ବରୁ ପାଣିପାଗ ପୂର୍ବାନୁମାନ ଅନୁଯାୟୀ ସୁନ୍ଦରଗଡକୁ ୟେଲୋ ୱାର୍ଣିଂ ଦିଆଯାଇଛି ।

ଏପଟେ ଜାଡ଼ରେ ଥରୁଛି ମୟୁରଭଞ୍ଜ । ୩ଦିନ ହେଲାଣି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଉଛି । ଆଜିବି ମୟୁରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ କୁ ଖସିଛି ପାରଦ । ପ୍ରବଳ ଥଣ୍ଡା ଯୋଗୁଁ ଶିମିଳିପାଳ ର ବିଭିନ୍ନ ସ୍ଥାନରେ ଆଜି ତୁଷାରପାତ ହେଇଛି । ଆଜି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଥିବା ଉପର ବରାକାମୁଡା ଏବଂ ଚହଲା ରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ହାଡ଼ଭଙ୍ଗା ଶୀତ ଅନୁଭୂତି ହେଉଛି । ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ତେବେ ଶୀତ ସକାଳର ପହିଲି ସୂର୍ଯ୍ୟ କିରଣ ଯେତେବେଳେ ଧଳା ଚାଦର ଉପରେ ପଡୁଛି ସେହି ଦୃଶ୍ୟ ସତରେ ମନ କିଣି ନେଉଛି ।

ତେବେ ହାଡ଼ଭଙ୍ଗା ଶୀତ ଯୋଗୁଁ କିଛି ସ୍ଥାନରେ ଶୀତ ବସ୍ତ୍ର ପିନ୍ଧିଥିଲେବି ଠିକ ସେ କାମ ଦେଉ ନାହଁ । ଯାହା ଫଳରେ ଲୋକମାନେ ବାଧ୍ୟ୍ୟ ହେଇ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି । ହାଡ଼ ଭଙ୍ଗା ଶୀତ ପାଇଁ ସକାଳ ଏବଂ ସନ୍ଧ୍ୟା ରେ ରାସ୍ତାଘାଟ ଶୂନସାନ ହେଇଯାଉଛି । ତେବେ ଚଳିତ ବର୍ଷ ଡେରିରେ ହେଉ ପଛେ ଭଲ ଥଣ୍ଡା ଅନୁଭୂତ ହେଉଛି । ଏହି ଶୀତର ମଜା ନେବାକୁ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ପରିଲିକ୍ଷୀତ ହେଉଛି ।