ଆଉ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା । ଆଜି ବଢ଼ିବ ବର୍ଷାର ପରିମାଣ । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆଜି ୫ ଜିଲ୍ଲା ଢେଙ୍କାନାଳ, କଟକ, ବୌଦ୍ଧ, ସୋନପୁର ଓ ସମ୍ବଲପୁର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୬ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। ସେହିପରି ୨ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିଛନ୍ତି SRC। ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ପ୍ରବଳ ବର୍ଷା ଯୋଗୁ ପାଣି ନିଷ୍କାସନ ପାଇଁ ଆବଶ୍ୟକ ପମ୍ପ ବ୍ୟବସ୍ଥା କରିବାକୁ କୁହାଯାଇଛି । କ୍ଷୟକ୍ଷତି ସଂପର୍କରେ ସରକାରଙ୍କ ନିକଟରେ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ୩ ତାରିଖରୁ ବର୍ଷାର ପରିମାଣ କମିବ ।

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୪୮୯.୫ ମିମି ବର୍ଷା ରେକର୍ଡ ହୋଇଛି । ଏବେବି ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ବର୍ତ୍ତମାନ ରାଜ୍ୟରେ ୫୫୦.୭ ମିମି ସ୍ୱାଭାବିକ ବର୍ଷା ରହିବା କଥା । ସେହିପରି ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବାକି ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ଓଡ଼ିଶାର ଅନେକ ସହରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜର ରାସଗୋବିନ୍ଦପୁରରେ ସର୍ବାଧିକ ୫୮.୪ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ପାରଳାଖେମୁଣ୍ଡିରେ ୩୫.୩ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।

You might also like