କେତେ ରହିବ ମୂର୍ତ୍ତିର ଉଚ୍ଚତା? ଆଗତ ରିଟ୍‌ ପିଟିସନ୍ ଉପରେ ଆଜି ହାଇକୋର୍ଟରେ ଶୁଣାଣି

କଟକ: କଟକ ସହରର ଶାରଦୀୟ ପୂଜା ହଜାର ବର୍ଷ ଧରି ହୋଇ ଆସୁଥିବାବେଳେ ଚଳିତ ବର୍ଷର ପୂଜାରେ ସେଭଳି ଆକର୍ଷଣ ରହି ନପାରେ । ଆସନ୍ତା ୨୨ ତାରିଖରୁ କଟକ ସହରରେ ପୂଜା ହେବାର ଥିବାବେଳେ ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମଣ୍ଡପରେ ଦେବୀ ମୂର୍ତ୍ତି ପାଇଁ ନଡାବନ୍ଧା ବି ହୋଇ ନାହିଁ । ବାଲୁବଜାର ପୂଜା କମିଟି ପକ୍ଷରୁ ଦୁର୍ଗାପୂଜାରେ ୪ ଫୁଟର ମୂର୍ତ୍ତି ନିର୍ମାଣ କରିବେ ବୋଲି ଗତ ୧୭ ତାରିଖରେ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା କରାଯାଇଥିଲା ।

ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ଆଗତ ରିଟ୍‌ ପିଟିସନର ଆଜି ଶୁଣାଣି କରାଯିବ । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହେବ ବୋଲି ଜଣାପଡିଛି । କଟକ ସହରର କେତେକ ମଣ୍ଡପ ଏଯାଏ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରି ନଥିବାବେଳେ ଅନ୍ୟ କେତେକ ମଣ୍ଡପ କମିଶନରେଟ ପୋଲିସ ଓ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ୪ ଫୁଟର ମୂର୍ତ୍ତି ନିର୍ମାଣ କରିଛନ୍ତି । ବାଲୁବଜାର ପୂଜା କମିଟି ପକ୍ଷରୁ ପୁଣି ତିନିଟି ମାମଲା ରୁଜୁ କରାଯାଇଛି ।

ସେହିଭଳି ଗତ ୧୬ ତାରିଖରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶନାମାର ରିଭ୍ୟୁ ପିଟିସନ ମଧ୍ୟ ଦାଖଲ କରିଛି ବାଲୁବଜାର ପୂଜା କମିଟି । ଏହାସହ ଗତ ଅଗଷ୍ଟ ୩୧ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶନାମା ଦେଇ କୋଭିଡ ଗାଇଡଲାଇନ ମଧ୍ୟରେ ପୂଜା କରିବାକୁ ଅନୁମତି ଦେଇଥିଲେ । କିନ୍ତୁ ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶନାମାରେ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.