ରେଢ଼ାଖୋଲ : ଝାଟି ମାଟି ଛଣ ଛପର ଘର । ରାତିରେ ଦିଶୁଛି ତାରା ଦିନରେ ମୁଣ୍ଡରେ ପଡ଼ୁଛି ଖରା । ଚାଳ ଛପର ଉପରେ ପଡ଼ିଥିବା ଜରିପାଲ ଛିଣ୍ଡି ସେଥିରୁ ପାଣି ଗଳୁଛି । ନା ଦିନରେ ରହି ହେଉଛି ରାତିରେ ଶୋଇପାରୁଛନ୍ତି ଏଇ ବୃଦ୍ଧା ଜଣକ । ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି ଅସହାୟ ବିଧବା ମହିଳା । ଆମେ କହୁଛୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ କନ୍ଧରା ଗାଁର ମହାଦେଇ ମେହେରଙ୍କ କଥା । ମହାଦେଇଙ୍କ ବୟସ ପାଖାପାଖି ୭୮କୁ ଛୁଇଁଲାଣି । ଅନେକ ବର୍ଷ ପୂର୍ବେ ଝାରସୁଗୁଡ଼ାର ସୁଦୁର ଗାଁର ଜନ୍ମ ମେହେର ମହାଦେଇଙ୍କୁ ଦ୍ବିତିୟ ବିବାହ କରିଥିଲେ ।
ଝାରସୁଗୁଡ଼ାରୁ ଦୁହେଁ ଆସି ସମ୍ବଲପୁର ଜିଲ୍ଲା ମାନେଶ୍ଵରଠାରେ ରହି ମୂଲ ମଜୁରୀ କରି ଚଳୁଥିଲେ । ହେଲେ ଦଇବ ଦାଉ ସାଧିଲା । ଦୀର୍ଘ ୨୫ ବର୍ଷ ପୂର୍ବେ ସ୍ବାମୀ ସନ୍ତାନ ସନ୍ତତି ହୀନା ମହାଦେଇଙ୍କୁ ଏକା ଛାଡି ଆରପାରିକୁ ଚାଲିଯାଇଥିଲେ । ସେହିଦିନ ଠାରୁ ମହାଦେଇ ମୁଲ ମଜୁରୀ କରି କଷ୍ଟେ ମଷ୍ଟେ ନିଜ ଗୁଜୁରାଣ ମେଣ୍ଟାଉ ଥିଲେ । ଏବେ ବୃଦ୍ଧା ହୋଇଯାଇଥିବାରୁ ୮ ବର୍ଷ ହେଲା ନିଜ ଭାଇ ଦୈତାରି ମେହେରଙ୍କ ଘରେ ଆଶ୍ରୟ ନେଇଛନ୍ତି । ହେଲେ ଭାଇ ଦୈତାରୀଙ୍କର ମଧ୍ଯ ମୃତ୍ୟୁ ହୋଇ ସାରିଲାଣି । ନିରାଶ୍ରୟ ମହାଦେଇ ଭାଇ ଦୈତାରୀଙ୍କ ଭଙ୍ଗା ଚାଳ ଛପର ଘରେ ଏକାକୀ ପଡ଼ିରହିଛନ୍ତି I ଏନେଇ ମହାଦେଇ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।
ତେବେ ମହାଦେଇ ରହୁଥିବା ଘର ଅବସ୍ଥା କଣ ଯେ କହିବୁ ତାହା ଆପଣମାନେ ଏଇ ଭିଜୁଆଲ ମାଧ୍ୟମରେ ଦେଖିପାରୁଥିବେ । କିପରି ଘରର କାନ୍ଥ ଭୁଷୁଡି ପଡିଥିବାରୁ ଆବଦ୍ଧ କରାଯାଇଛି । ବିଦ୍ୟୁତ ସଂଯୋଗ ମଧ୍ଯ ହୋଇ ନାହିଁ । ସରକାରୀ ସହାୟତା କହିଲେ ମାସିକ ୧୨ ଶହ ଭତ୍ତା ଛଡା ଅନ୍ୟ କିଛି ନାହିଁ । ଘର ଖଣ୍ଡିଏ ମିଳି ନାହିଁ କି ରାସନକାର୍ଡ ନ ଥିବାରୁ ଖାଇବା ପାଇଁ ଚାଉଳ ଗଣ୍ଡେ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ । ଦୋଷ ଖାଲି ଏତିକି ତାଙ୍କୁ ମିଳିଥିବା ଆଧାର କାର୍ଡରେ ପିତା ବା ସ୍ବାମୀଙ୍କ ନାମ ରହିବା ସ୍ଥାନରେ ନିଜ ଭାଇ ଦୈତାରୀଙ୍କ ନାମ ରହିଛି । ମହାଦେଇ ନିଜ ପରିଚୟ ପତ୍ରରେ ନାମ ସଂଶୋଧନ କରି ନପାରି ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି । ତେଣୁ ରହିବା ପାଇଁ ଖଣ୍ଡିଏ ଘର ଓ ଚାଉଳ ଗଣ୍ଡେ ମିଳୁ ବୋଲି ମହାଦେଇ ସରକାରଙ୍କୁ ମାଗିଛନ୍ତି । ସେପଟେ ଘର ହେଉ ବା ରାସନକାର୍ଡ ବିଷୟରେ ସରକାରଙ୍କୁ ଜଣାଇ ଯଥା ଶିଘ୍ର ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ କହିଛନ୍ତି I