ଭୁବନେଶ୍ୱର : ସୁଭଦ୍ରା ଯୋଜନା ପାଇଁ ହେଲ୍ପ ଲାଇନ ନମ୍ବର । ହିତାଧିକାରୀଙ୍କୁ କେହି ଭ୍ରମିତ କଲେ କିମ୍ବା ହଇରାଣ କଲେ ହେଲ୍ପ ଲାଇନ ନମ୍ବର 14678ରେ ଅଭିଯୋଗ କରନ୍ତୁ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ସାଢ଼େ ୩ ଲକ୍ଷ ଆବେଦନ ହୋଇସାରିଲାଣି । ସୁଭଦ୍ରା ଯୋଜନା ଆବେଦନର କୌଣସି ଶେଷ ତାରିଖ ନାହିଁ । ଯେଉଁମାନେ ୧୭ ତାରିଖ ପରେ ଆବେଦନ କରିବେ, ସେମାନେ ମଧ୍ୟ ଯୋଜନାରେ ସାମିଲ ହୋଇପାରିବେ ଏବଂ ସମାନ ଅନୁଦାନ ପାଇବେ । ଶେଷ ହିତାଧିକାରୀ ସାମିଲ ନହେବା ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ ।
ତେଣୁ ମୋ ସେବା କେନ୍ଦ୍ର ଓ ସିଏସସି ସେଣ୍ଟରରେ ଅଯଥା ଭିଡ଼ ନଜମାଇବାକୁ ଅପିଲ କରିଛନ୍ତି ପ୍ରଭାତୀ ପରିଡ଼ା । ସୁଭଦ୍ରା ଯୋଜନା ସଂପର୍କିତ ସୂଚନା ପାଇଁ ଆଜିଠୁ ଗଡ଼ିବ ସଚେତନତା ରଥ । ୧୬ ତାରିଖ ପର୍ଯ୍ୟନ୍ତ ଗଡ଼ିବ ଏହି ରଥ । ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ । ଫଳରେ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। ଏହି ସଚେତନତା ଭ୍ୟାନ ପରିକ୍ରମା ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ବରେ ରହିବେ ।