ସେପ୍ଟେମ୍ବର ୮ ତାରିଖ ୨୦୨୪ । ସମୟ ରାତି ୮ ଟା । ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନାକୁ ଖବର ଆସିଲା ଜଣେ ଯୁବକଙ୍କର ଅପହରଣ ହୋଇଛି । ଶୁକ୍ରୁଳି ଓ ସିଙ୍ଗଡ଼ା ରାସ୍ତା କାଶିଆ ଜଙ୍ଗଲ ନିକଟ ପୋଖୋରୀ ପାଖରେ ଏକ ରକ୍ତ ଭିଜା ପଲ୍ସର୍ ବାଇକ୍ ସହ ବ୍ୟାଗ୍ ଟିଏ ପଡ଼ି ରହିଛି । ଖବର ପାଇ ରରୁଆଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କଲା । ପରେ ଜାଣିବାକୁ ପାଇଲା ଯେ ନିଖୋଜ ଯୁବକ ହେଉଛି ଯଶିପୁର ବ୍ରାଞ୍ଚ ସମସ୍ତା ଫାଇନାନ୍ସ କମ୍ପାନୀର କର୍ମଚାରୀ ହେମନ୍ତ ପାତ୍ର । ହେମନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଜାମୁଦା ଗାଆଁରେ । ତେବେ ୯ ତାରିଖ ସକାଳେ ହେମନ୍ତଙ୍କ ଶାଶୁ ଓ ସ୍ତ୍ରୀ ରରୁଆଁ ଥାନାକୁ ଆସି ହେମନ୍ତଙ୍କ ଅପହରଣ ଓ ହତ୍ୟା ନେଇ ଲିଖିତ ଅଭିଯୋଗ ଦେଇଥିଲେ । ପୋଲିସ ଏକ ନିଖୋଜ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ତେବେ ଏହା ଭିତରେ ତଦନ୍ତକୁ ଦୀର୍ଘ ୩ ମାସ ବିତି ଯାଇଥିଲା । ସେପଟେ ପରିବାର ପକ୍ଷରୁ ପୋଲିସର କାର୍ଯ୍ୟକୁ ନେଇ ବିଭିନ୍ନ ପ୍ରଶ୍ନ କରାଯାଇଥିଲା । ଯାହା ପୋଲିସକୁ ମଧ୍ୟ ଅଡ଼ୁଆରେ ପକାଇ ଥିଲା ।
କିନ୍ତୁ ଚଳିତ ନଭେମ୍ବର ମାସ ୧୮ ତାରିଖ ଦିନ ହେମନ୍ତ ତାଙ୍କ ମାମୁଁ ଶ୍ବଶୁରଙ୍କ ସହ ମୋବାଇଲ୍ ମାଧ୍ୟମରେ କଥା ହେଉଥିବା ପୋଲିସ ଜାଣିବାକୁ ପାଇଲା । ଦୀର୍ଘ ଦିନରୁ ନିଖୋଜ ଥିବା ହେମନ୍ତଙ୍କୁ ଖୋଜିବା ପାଇଁ ମୋବାଇଲ୍ ନମ୍ବରକୁ ଟ୍ରେସ କରାଗଲା । ଆଉ ହେମନ୍ତର ଗତିବିଧି ଉପରେ ନଜର ରଖିଲା ପୋଲିସ । ତେବେ ହେମନ୍ତ କେନ୍ଦୁଝର ଆସି ପୁଣି ନିଜ ଶାଶୁଙ୍କ ସହ ଦେଖା କରିବାକୁ ଭୁବନେଶ୍ୱରର ଶୈଳଶ୍ରୀ ବିହାରକୁ ଯାଇଥିଲା । ଏହି ସମୟରେ ରରୁଆଁ ପୋଲିସ ହେମନ୍ତଙ୍କୁ ଠାବ କରି ମାଡ଼ି ବସିଲା । ଆଉ ଗତକାଲି ଥାନାକୁ ଆଣି ଆରମ୍ଭ କରିଛି ପଚରା ଉଚରା ।
ତେବେ ହେମନ୍ତଙ୍କ ଏ ନାଟକ ପଛରେ କଣ ରହିଛି ରହସ୍ୟ ? କାହିଁକି ଏଭଳି ଭାବରେ ପୋଲିସ୍ ଓ ଲୋକଙ୍କୁ ଭୁଆଁ ବୁଲାଇଲା ହେମନ୍ତ ? ତାର ବୟାନ ନେବା ପରେ ପୋଲିସ ବି ଚକିତ ହୋଇଯାଇଛି । କାହିଁକି ନା ହେମନ୍ତ ନିଜେ ନିଜକୁ ଅପହରଣ କରିବାର ନାଟକ ରଚିଥିଲା । ସତ କଥା ହେଉଛି, ହେମନ୍ତ କିଛି ଲୋନ୍ କରିଥିଲା ଆଉ ଇଏମଆଇ ଦେବା ପାଇଁ ସକ୍ଷମ ହେଲା ନାହିଁ। ଲୋକଲଜ୍ଜା ଭୟରେ ରଚିଥିଲା ଏଭଳି ପ୍ଲାନ୍ । ନିଜେ ନିଜକୁ ଅପହରଣ କରି ହତ୍ୟା ହୋଇଥିବା ନେଇ କରିଥିଲା ନାଟକ । ରାସ୍ତାରେ ଯିବା ବେଳେ କିଛି ଲୋକ ତାଙ୍କୁ ଗୋଡ଼ାଉଥିବା ଫାଇନାନ୍ସ କମ୍ପାନୀର ମ୍ୟାନେଜରଙ୍କୁ ହେମନ୍ତ କହିଥିଲା । ଜୀବନ ପ୍ରତି ବିପଦ ଅଛି ବୋଲି ଜଣାଇଥିଲା । ଠିକ୍ ସେହି କଥା ନିଜ ସ୍ତ୍ରୀକୁ ମଧ୍ୟ ଫୋନ୍ କରି କହିଥିଲା ହେମନ୍ତ। ଏହା ପରେ ଶୁକ୍ରୁଳୀ ଓ ସିଙ୍ଗଡ଼ା ରାସ୍ତା କାଶିଆ ଜଙ୍ଗଲ ନିକଟ ଏକ ପୋଖରୀ ପାଖରେ ନିଜ ବାଇକ୍ କୁ ରାସ୍ତା କଡକୁ ଠେଲି ଦେଇ ହାତ ପାପୁଲି କାଟି ବାଇକ୍ ଉପରେ ରକ୍ତ ପକାଇ ଫେରାର ହୋଇ ଯାଇଥିଲା । ଅପହରଣ ଏବଂ ହତ୍ୟା ହୋଇଥିବାର ଭ୍ରମ ସୃଷ୍ଟି କରି ପୋଲିସ ଓ ନିଜ ସହକର୍ମୀଙ୍କୁ ଭୁଆଁ ବୁଲାଇଥିଲା । ପରେ ଭୁବନେଶ୍ୱର ରେଳ ଷ୍ଟେସନରୁ ସିଧା ସିକନ୍ଦରାବାଦ୍ ଯାଇ ଏକ ହୋଟେଲରେ କାମ କରୁଥିଲା । କିନ୍ତୁ ଆଗକୁ ଏକ ସଫ୍ଟୱେର କମ୍ପାନୀରେ ଚାକିରି କରିବାକୁ ଥିବାରୁ ସାର୍ଟିଫିକେଟର ଆବଶ୍ୟକତା ପଡ଼ିଲା । ତେଣୁ ସେ ଓଡ଼ିଶା ଆସି ସମସ୍ତ କାଗଜପତ୍ର ନେଇ ଭୁବନେଶ୍ୱରରୁ ପୁଣି ସିକନ୍ଦରାବାଦ୍ ବାହାରିଥିଲା । ମୋଟା ଅଙ୍କର ଟଙ୍କା କମେଇ ଘରକୁ ଫେରିଥାନ୍ତା ବୋଲି କହିଛି ହେମନ୍ତ । କିନ୍ତୁ ସବୁ ପ୍ଳାନ୍ ଫେଲ୍ ମାରିଲା । ଆଉ ନିଜ ଚକ୍ରବ୍ୟୂହରେ ନିଜେ ଫସିଗଲା । ଏବେ ପୋଲିସ ହାତରେ ଧରା ପଡ଼ିଛି ହେମନ୍ତ । ସେପଟେ ଫାଇନାନ୍ସ କମ୍ପାନୀରୁ ପାଖାପାଖି ୬୦ ହଜାର ଟଙ୍କା ହେମନ୍ତ ହଡ଼ପ କରିଥିବା ନେଇ କମ୍ପାନୀର ବ୍ରାଞ୍ଚ ମ୍ୟାନେଜର ଅଭିଯୋଗ କରିଛନ୍ତି ।
ଫିଲ୍ମ ଷ୍ଟାଇଲରେ ଡ୍ରାମା କରିଥିଲା ହେମନ୍ତ । ହେଲେ ପ୍ଲାନରେ କିଛି ତ୍ରୁଟି ତାକୁ ଧରା ପକାଇ ଦେଲା । ଆଜିର ଯୁବପିଢ଼ି ଏଭଳି କିଛି କାଣ୍ଡ କରି ନିଜେ ହିଁ ନିଜର ଶତ୍ରୁ ପାଲଟୁଛନ୍ତି । କିଛି ଶିକ୍ଷା କରନ୍ତୁ ଏଭଳି ଘଟଣାରୁ । ହେମନ୍ତ ରଚିଥିବା ନାଟକ ପାଇଁ କାର୍ଯ୍ୟାନୁଷ୍ଠାନ ବିଷୟରେ ପୋଲିସ୍ କହିଛି ଯେ ଯଦି କିଛି ଟଙ୍କା ହେରଫେର କଥା ଆସେ ତାହେଲେ ତାକୁ ତଦନ୍ତ ପରିସର ଭୁକ୍ତ କରି ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ । ତେବେ ନିଜ ସ୍ବାର୍ଥ ଓ ଭୁଲ ପାଇଁ ହେମନ୍ତ ଯେଭଳି ଭାବେ ବଦନାମ ହେଲା ଓ ପୋଲିସକୁ ନାକେଦମକ କଲା ତାକୁ କଣ କହିବେ ? ଆପଣମାନେ ହିଁ ବିଚାର କରନ୍ତୁ କି ଗୋଟିଏ ଭୁଲ କରି ତା ପରେ କିଭଳି ଲଗାତାର ଭୁଲ କରିବାକୁ ଲାଗିଲା ହେମନ୍ତ । ଯାହାର ଶେଷ ପରିଣତି ହୁଏତ ଜେଲ୍ ଦଣ୍ଡ ହୋଇପାରେ ।