ଓଡ଼ିଶା ସୀମାରେ ହାଇ ଆଲର୍ଟ, ନକ୍ସଲଙ୍କ ଉପରେ କଡ଼ା ନଜର ରଖିବାକୁ ଏସପିଙ୍କୁ ନିର୍ଦ୍ଦେଶ

ପୋଲିସର ଫୋକସରେ ରାଜ୍ୟରେ ମାଓବାଦର ସମ୍ପୂର୍ଣ୍ଣ ନିପାତ । ସବୁ ପ୍ରକାର ସମ୍ବଳ ଏଥିଲାଗି ବ୍ୟବହାର ହେଉଛି । ନିରନ୍ତର ମାଓ ବିରୋଧୀ ଅପରେସନ ହେଉଛି । ମାଓ ପ୍ରଭାବିତ ଜିଲ୍ଲାରେ ହାଇ ଆଲର୍ଟରେ ସୁରକ୍ଷା କର୍ମୀ । ୩ ଦିନ ତଳେ ଓଡ଼ିଶା-ଛତିଶଗଡ଼ ସୀମାରେ ସଫଳ ମାଓ ବିରୋଧୀ ଅପରେସନ ହୋଇଥିଲା । ଏହାପରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ନକ୍ସଲମାନଙ୍କ ଉପରେ କଡ଼ା ନଜର ରଖିବାକୁ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ।
ଏହାସହ ସ୍ବତନ୍ତ୍ର ସଶସ୍ତ୍ର ପୋଲିସ ମୁତୟନ ପାଇଁ କୁହାଯାଇଛି । ନକ୍ସଲମାନଙ୍କ ଉପରେ ନଜର ରଖିବାକୁ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ସହ ଡ୍ରୋନର ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି ଡିଜିପ । ସ୍ଥାନୀୟ ପୋଲିସକୁ ନକ୍ସଲ ସମ୍ପର୍କିତ ସୂଚନା ନେଟୱର୍କ ବଢାଇବାକୁ କୁହାଯାଇଛି । ସ୍ଥାନୀୟ ଲୋକଙ୍କୁ ନକ୍ସଲ ସମ୍ପର୍କିତ ସୂଚନା ଦେବା ପାଇଁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି।
ସେହିପରି ଗତକାଲି ନୂଆପଡ଼ା ଗସ୍ତରେ ଯାଇଥିଲେ ପୋଲିସ ଡିଜି । ମାଓବାଦୀଙ୍କ ଉପସ୍ଥିତି ଥିବା ଅଞ୍ଚଳକୁ ଘେରାବନ୍ଦୀ କରି ୧୯ ତାରିଖ ରାତିରୁ କମ୍ବିଂ ଆରମ୍ଭ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ଏକେ ୪୭, ଏସଏଲଆର, ଇନସାସ ସହ ଅଟୋମେଟେଡ ୱିପନ ଜବତ ହୋଇଥିଲା । ବହୁ ପରିମାଣର ମାଓ ସାମଗ୍ରୀ ମଧ୍ୟ ମିଳିଥିଲା । ନକ୍ସଲ ବିରୋଧୀ ଅଭିଯାନରେ ଚଲପତିର ନିପାତ ଏକ ବଡ଼ ସଫଳତା ବୋଲି ସୋସିଆଲ ମିଡିଆରେ କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଭାରତ ଅଭିଯାନରେ ଏହା ଏକ ବଡ଼ ସଫଳତା ବୋଲି ସେ କହିଥିଲେ । ୨୦୨୫ରେ ଏପର୍ଯ୍ୟନ୍ତ ୧୪ ମାଓବାଦୀ ନିପାତ ହୋଇଛନ୍ତି ।
ଆହୁରି ପଢନ୍ତୁ : ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ, ସାବୁନ କେସରୁ ୨୧ଟି IED ଜବତ