ହାଇକୋର୍ଟ ବାର ଆସୋସିଏସନ ଦୁଇ ଫାଳ

କଟକ(କେନ୍ଯୁଜ୍) : ପୋଲିସ-ଆଇନଜୀବୀ ମାରପିଟ୍‌ ବିବାଦକୁ ନେଇ ୨ ଭାଗରେ ବିଭକ୍ତ ହୋଇଛନ୍ତି ହାଇକୋର୍ଟ ବାର୍‌ର ଆଇନଜୀବୀ । ଏହାକୁ କେନ୍ଦ୍ର କରି ବାର୍‌ର ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବଂଶୀଧର ଶତପଥୀ।  କହିଛନ୍ତି, ସାଧାରଣ ସମ୍ପାଦକ ଗଣମାଧ୍ୟମକୁ ଭୁଲ୍‌ ତଥ୍ୟ ଦେଇଛନ୍ତି ଓ ପାସ୍‌ ହୋଇଥିବା ରିଜୋଲ୍ୟୁସନକୁ ଭ୍ରମାତ୍ମକ ଭାବେ ଉପସ୍ଥାପନ କରିଛନ୍ତି । ସେପଟେ ବିଜେଡିି ଲିଗାଲ ଫ୍ରଣ୍ଟ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟବନ୍ଦ ଆନ୍ଦୋଳନରୁ ସମର୍ଥନ ପ୍ରତ୍ୟାହାର କରିଛି। ସୋମବାର କିମ୍ବା ମଙ୍ଗଳବାର ବିଜେଡି ଲିଗାଲ ସେଲର୍‌ ଆଇନଜୀବୀ କାର୍ଯ୍ୟରେ ଯୋଗଦେବେ। ଏବେ ପ୍ରାୟ ୨୬ହଜାର ଆଇନଜୀବୀ ଲିଗାଲ ଫ୍ରଣ୍ଟରେ ସଦସ୍ୟ ଅଛନ୍ତି । କଟକରେ ଆଡଭୋକେଟ୍‌ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଅଗଷ୍ଟ ୨୮ରେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ପୋଲିସ କର୍ମଚାରୀଙ୍କ ଗିରଫ ଦାବି କରୁଛନ୍ତି ଆଇନଜୀବୀ । ଏହାକୁ ନେଇ ଆଇନଜୀବୀମାନେ ଅଗଷ୍ଟ ୨୯ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ।

ସେପଟେ ହାଇକୋର୍ଟ ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନରୁ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଓହରିବା ଓ ଉପସଭାପତିଙ୍କ ଇସ୍ତଫା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ବାର ଆସୋସିଏସନର ସମ୍ପାଦକ ସତ୍ୟବ୍ରତ ମହାନ୍ତି । କହିଛନ୍ତି ଆଇନଜୀବୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନ ଚାଲିଛି । ସମସ୍ତ ବୈଠକରେ ଉପସଭାପତି ଉପସ୍ଥିତ ଥିଲେ । ତାଙ୍କ ଜାଣତରେ ସବୁ ନିଷ୍ପତ୍ତି ନିଆଯାଇଛି । ଏପରିକି ରିଜୋଲ୍ୟୁସନ କପିରେ ଉପସଭାପତିଙ୍କ ଦସ୍ତଖତ ଥିବା ସେ ସୂଚନା ଦେଇଛନ୍ତି । ଆସନ୍ତା ୩୦ ତାରଖ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସତ୍ୟବ୍ରତ ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି ।