ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ୬ ମାସରେ ଗର୍ଭପାତ ସଂପର୍କିତ ଏସଓପି ପ୍ରସ୍ତୁତ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଗର୍ଭପାତ ସଂପର୍କରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଗର୍ଭଧାରଣର ୨୪ ସପ୍ତାହ ଅତିକ୍ରମ କରିଥିଲେ ମଧ୍ୟ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି। ଦୁଷ୍କର୍ମପୀଡ଼ିତା ଜଣେ ୧୩ ବର୍ଷିଆ ଗର୍ଭବତୀ ନାବାଳିକାର ବାପାଙ୍କ ଆବେଦନର ଶୁଣାଣି କରି ଏନେଇ ଅନୁମତି ଦେଇଛନ୍ତି ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ। ଏହା ସହ ୬ମାସ ମଧ୍ୟରେ ଗର୍ଭପାତ ସଂପର୍କିତ ଏସଓଏପି ପ୍ରସ୍ତୁତ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଗର୍ଭବତୀ ନାବାଳିକା ଦୁଷ୍କର୍ମପୀଡ଼ିତାଙ୍କ ଗର୍ଭପାତ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ୧୩ବର୍ଷର ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ ସଂପର୍କିତ ଆବେଦନର ଶୁଣାଣି କରିଛନ୍ତି ହାଇକୋର୍ଟ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ। ଅନୁସୂଚିତ ଜନଜାତି ବର୍ଗର ଏହି ନାବାଳିକାଙ୍କ ସହ ୨୦୨୪ ଅଗଷ୍ଟ ମାସରେ ବାରମ୍ବାର ଦୁଷ୍କର୍ମ ହୋଇଥିଲା। ଜି. ଉଦୟଗିରି ଥାନା ଅଞ୍ଚଳର ଏକ ଗାଁର ଦିନେଶ ପ୍ରଧାନ ନାମକ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଏହାର କିଛି ଦିନ ପରେ ନାବାଳିକା ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେତେବେଳେ ନାବାଳିକା ଜଣକ ୬ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା।
ଏନେଇ ନାବାଳିକଙ୍କ ବାପା ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଗର୍ଭପାତ କରାଇବାକୁ ଆବେଦନ କରିଥିଲେ। MTP ଆକ୍ଟ ୧୯୭୧ ଅନୁସାରେ ଗର୍ଭଧାରଣର ୨୪ ସପ୍ତାହରୁ କମ ସମୟରେ ଗର୍ଭପାତ କରାଯାଇପାରିବ। କିନ୍ତୁ ଏହି କ୍ଷେତ୍ରରେ ଗର୍ଭପାତର ସମୟ ସୀମା ଅତିକ୍ରମ କରିସାରିଥିଲା। ଡାକ୍ତରଖାନାର ରିପୋର୍ଟ ଅନୁସାରେ ନାବାଳିକା ଜଣକ ଦୁର୍ବଳ ଥିବା ସହ ସିକଲ ସେଲ ଆନେମିଆ ଓ ଏପିଲେପସୀରେ ପୀଡ଼ିତ ଥିଲେ। କମ ବୟସ ହୋଇଥିବା, ଦୁଷ୍କର୍ମ ପାଇଁ ସେ ମାନସିକ ଦୁଶ୍ଚିନ୍ତାରେ ଥିବା ଓ ସିକଲସେଲ ଆନେମିଆ ପୀଡ଼ିତ ଥିବାରୁ ଗର୍ଭପାତ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ବୋଲି ମେଡିକାଲ ରିପୋର୍ଟରେ କୁହାଯାଇଥିଲା। ଆବେଦନର ଶୁଣାଣି କରି ଦୁଷ୍କର୍ମପୀଡ଼ିତା ନାବାଳିକାଙ୍କ ଗର୍ଭପାତ କରାଇବାକୁ ଅନୁମତି ପ୍ରଦାନ କରିଛନ୍ତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ। ଗର୍ଭଧାରଣର ୨୪ ସପ୍ତାହ ଅତିକ୍ରମ ହୋଇସାରିଥିଲେ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି।
ଏହାସହ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଗର୍ଭପାତ ସଂପର୍କିତ ମାମଲା ନେଇ ଏସଓପି ପ୍ରସ୍ତୁତି ଓ ଏହାର ପାଳନ କରିବାକୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶରେ ଏସଓପି ଗଠନ କରିବ। ନିରାପଦ ଓ ସମୟ ମଧ୍ୟରେ ଗର୍ଭପାତ ପାଇଁ ଏସଓପିରେ ନିୟମାବଳୀ ରହିବ। ୬ମାସ ମଧ୍ୟରେ ଏସଓପି ଚୂଡାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ଏସଓପିକୁ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟମାନଙ୍କୁ ପଠାଯିବ। ଏଭଳି ମାମଲାରେ, ଡାକ୍ତରଖାନା, ଥାନା, କୋର୍ଟରେ ଶୁଣାଣି ଆଦିରେ ସମୟ ଲାଗୁଥିବାରୁ ଏହା ପୀଡିତାଙ୍କ ଉପରେ ପ୍ରଭାବ ପକାଇଥାଏ। ତେଣୁ ଏଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।