ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ପୁଣି ଝଟକା, ହାଇକୋର୍ଟରେ ଖାରଜ ହେଲା ମାମଲା

କଟକ(କେନ୍ୟୁଜ୍): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବେଆଇନ ବୋଲି ଦର୍ଶାଇ ହାଇକୋର୍ଟରେ ରୁଜ୍ଜୁ ଜନସ୍ବାର୍ଥ ମାମଲା ସମେତ ସମସ୍ତ ଇଣ୍ଟରଭେନିଙ୍ଗ ପିଟିସନକୁ ଖାରଜ କରିଛନ୍ତି ହାଇକୋର୍ଟ। ମାମଲା ସୁପ୍ରିମକୋର୍ଟରେ ଖାରଜ ହୋଇ ସାରିଥିବାରୁ ହାଇକୋର୍ଟରେ ମାମଲା ଆଉ ରହିବାର ଆବଶ୍ୟକତା ନଥିବା ଦର୍ଶାଇ ସମସ୍ତ ମାମଲାକୁ ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ। ପୁରୀର ଦିଲ୍ଲୀପ କୁମାର ବରାଳଙ୍କ ପକ୍ଷରୁ ମୂଳ ମାମଲା ରୁଜୁ ହୋଇଥିବା ବେଳେ ଏହା ଉପରେ ଦୁଇଟି ଇଣ୍ଟରଭେନିଙ୍ଗ ମାମଲା ମଧ୍ୟ ଦାୟର ହୋଇଥିଲା। ଏହା ସହିତ ଅବସରପ୍ରାପ୍ତ ଆଏଏସ୍ ସୁଦର୍ଶନ ନାୟକ ଓ ସାହିତ୍ୟିକ ଭୁବନାନନ୍ଦ ମହାନ୍ତିଙ୍କ ପକ୍ଷରୁ ଅନ୍ୟ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା।ଜୁନ ୩ ତାରିଖରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଏହା ଜନସ୍ୱାର୍ଥ ମାମଲା ନୁହେଁ ବୋଲି କହିବା ସହିତ ଦୁଇ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଟଙ୍କାର ଅର୍ଥଦଣ୍ଡ ଦେଇଥିଲେ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ କଣ କହିଥିଲେ ସୁପ୍ରିମକୋର୍ଟ:
୧) ରାଜ୍ୟ ସରକାର କରୁଥିବା କାର୍ଯ୍ୟ ବୃହତ୍ତର ଜନସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ।
୨) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆନସିଏଣ୍ଟ ମନୋମେଣ୍ଟସ ଆଣ୍ଡ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ ୧୯୫୮ ଅନୁଯାୟୀ ହେଉଥିବା କହିଥିଲେ ସୁପ୍ରିମକୋର୍ଟ।।
୩) ପ୍ରତ୍ନତତ୍ୱ ବିଭାଗ ରିପୋର୍ଟକୁ ବିରୋଧ କରି ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ପ୍ରତ୍ନତତ୍ୱ ବିଭାଗ ଡ଼ିଜି ଯୁକ୍ତି ରଖୁଥିବା ବେଳେ ଏହା ମିଥ୍ୟା ଯୁକ୍ତି ବୋଲି ଅନୁଭବ କରିଥିଲେ ସୁପ୍ରିମକୋର୍ଟ।
୪) ଭକ୍ତ ମାନଙ୍କର ସୁବିଧା ସୁଯୋଗ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଥିବା କହିଥିଲେ ସୁପ୍ରିମକୋର୍ଟ।
୫) ଦାୟର ହୋଇଥିବା ସ୍ପେଶାଲ ଲିଭ ପିଟିସନ ଦୁଇଟି ମୂଲ୍ୟହୀନ ଓ ଜନସ୍ୱାର୍ଥ ବିରୋଧୀ ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ।
୬) ନିକଟରେ ଜନସ୍ୱାର୍ଥ ମାମଲା ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅଧିକାଂଶ ସେଥିରୁ ପବ୍ଲିକ ଇଣ୍ଟରେଷ୍ଟ ଲିଟିଗେସନ ନ ହୋଇ ପରସନାଲ ଇଣ୍ଟରେଷ୍ଟ ଲିଟିଗେସନ ହେଉଥିବା କହିଥିଲେ କୋର୍ଟ। ଏହାଦ୍ୱାରା ଜୁଡିସିଆଲ ସମୟ ନଷ୍ଟ ହେବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ମତ ରଖିଥିଲେ ସୁପ୍ରିମକୋର୍ଟ ହାଇକୋର୍ଟରେ ଦାୟର ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ) କୌଣସି ଅନୁମତି ଦେଇ ନାହିଁ। ଏଥି ପାଇଁ ଏନଓସି ମଧ୍ୟ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରୁ ଜାରି କରାଯାଇ ନାହିଁ।
ରିପୋର୍ଟରେ ଐତିହ ସ୍ଥଳର ପ୍ରତ୍ନତାତ୍ତ୍ବିକ ଅବଶେଷ ନଷ୍ଟ ହେବାର ସବୁ ପ୍ରକାର ସମ୍ଭାବନା ରହିଛି ବୋଲି ଏଏସଆଇ ଦର୍ଶାଇଛି। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ କୌଣସି ହେରିଟେଜ୍ ଇମ୍ପାକ୍ଟ ଆସେସମେଣ୍ଟ ଷ୍ଟଡି କରାଯାଇ ନାହିଁ। ୭୫ ମିଟର ପରିଧି ଅଞ୍ଚଳର ମାଟି ତଳେ ରହିଥିବା ପ୍ରତ୍ନତ୍ତାତ୍ବିକ ଓ ଐତିହାସିକ ଗୁରୁତ୍ବ ରଖୁଥିବା ଅବଶେଷ ପ୍ରସଂଗରେ ଜାଣିବା ପାଇଁ କୌଣସି ସର୍ଭେ (ଜିପିଆରଏସ) କରାଯାଇ ନାହିଁ। ଆନସିଆଣ୍ଟ ମନୁମେଣ୍ଟ ଆଣ୍ଡ୍ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ, ୧୯୫୮ର ଧାରା ୨୦-କ ଅନୁସାରେ ସଂରକ୍ଷିତ କୀର୍ତ୍ତିରାଜିର ଶହେ ମିଟର ଭିତର ଅଞ୍ଚଳ ନିଷିଦ୍ଧାଞ୍ଚଳ (ପ୍ରୋହିବିଟେଡ ଏରିଆ)।
ଏହି ଅଞ୍ଚଳ ଭିତରେ କୌଣସି ପ୍ରକାର ନିର୍ମାଣ ଉପରେ ଅଙ୍କୁଶ ରହିଛି। କିନ୍ତୁ ସବୁ ନିୟମକୁ ଜଳାଞ୍ଜଳି ଦେଇ ନିଷିଦ୍ଧାଞ୍ଚଳରେ ନିର୍ମାଣ କରାଯାଉଛି। ଏହା ଦ୍ବାରା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ବିପଦ ଦେଖା ଦେଇଛି। ଏପରି ନିର୍ମାଣ ତୁରନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଉ। ସଂପୂର୍ଣ୍ଣ ଭାବେ ଯାଞ୍ଚ ଓ ସ୍ଥିତି ଅନୁଧ୍ୟାନ ପରେ ଏହି ପ୍ରସଂଗରେ ପଦକ୍ଷେପ ନିଆଯାଉ। ଏଥି ସହିତ ଏହି ପ୍ରକଳ୍ପ ପାଇଁ ୨୦୨୧, ସେପ୍ଟେମ୍ବର ୪ରେ ଏନଏମଏ ଅନୁମତିକୁ ବେଆଇନ ବୋଲି ଘୋଷଣା କରାଯାଇ ରଦ୍ଦ କରାଯାଉ। ମାମଲାରେ କେନ୍ଦ୍ର, ରାଜ୍ୟ ସରକାର, ଏଏସଆଇ, ଏନଏମଏ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ବାଇଟ: ଅନୁପ କୁମାର ମହାପାତ୍ର, ଆବେଦନକାରୀଙ୍କ ଓକିଲ।