ଚିଲିକା ଓ ଭିତରକନିକାର ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କେନ୍ୟୁଜ୍: ଚିଲିକା ଓ ଭିତରକନିକାର ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚିଙ୍ଗୁଡ଼ି ଘେରୀ ଉଛେଦ ହେଉଥିଲେ ମଧ୍ୟ ପୁନଶ୍ଚ ହେଉଥିବା ଚିଙ୍ଗୁଡ଼ି ଘେରୀକୁ ଅଧା ଭାଙ୍ଗି ଘେରୀ ଉଛେଦ ହେଉଥିବା ଅଦାଲତଙ୍କୁ ପ୍ରଶାସନ ଦର୍ଶାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହାଇକୋର୍ଟ ।

ଆଦ୍ରଭୂମି ଅଞ୍ଚଳରେ ୨୪ ଘଣ୍ଟିଆ ପୋଲିସ ପାଟ୍ରୋଲିଂ ହେଉଥିବା ବେଳେ କିଭଳି ଘେରୀ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଅଞ୍ଚଳରେ ତହସିଲଦାର ଓ ଆରଆଇଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରି ଆସନ୍ତା ୧୭ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନେଇ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସେହିପରି କେନ୍ଦ୍ରାପଡା ରାଜନଗର ତହସିଲ ଅଞ୍ଚଳରେ ପ୍ରଶାସନ ଗୋଟିଏ ପାଖ ଘେରୀ ଭାଙ୍ଗି ଘେରୀ ଉଛେଦ ହୋଇଥିବା ହାଇକୋର୍ଟଙ୍କୁ ଜଣାଇଛନ୍ତି । ଏ ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳ ତଦନ୍ତ କରି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ସହ ପରବର୍ତ୍ତୀ ଶୁଣାଣି ସମୟରେ ହାଇକୋର୍ଟରେ ଉପସ୍ଥିତ ରହିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ । କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାର ମାନେ ନିଜ ଅଞ୍ଚଳରେ ଉଚ୍ଛେଦ ଓ ପାଟ୍ରୋଲିଂର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଯେପରି ଚିଙ୍ଗୁଡ଼ି ଘେରୀ ଉଚ୍ଛେଦ ସଂପୂର୍ଣ୍ଣ ହୋଇପାରିବ, ସେ ପଦକ୍ଷେପ ଗ୍ରହଣ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଭିତରକନିକାର ୨୯୭ ହେକ୍ଟର ଚିଙ୍ଗୁଡ଼ି ଘେରି ଉଛେଦ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରିଥିଲେ କେନ୍ଦ୍ରାପଡା ଜିଲ୍ଲାପାଳ । କିନ୍ତୁ ପୁଣି ସେହି ଅଞ୍ଚଳରେ କିଛି ଚିଙ୍ଗୁଡ଼ି ଘେରୀ ହୋଇଥିବା ଦେଖିବାକୁ ମିଳିଛି ।

ସାଟେଲାଇଟ ଚିତ୍ର ଉତ୍ତୋଳନ କରି ସେହି ଅନୁସାରେ ଚିଲିକା ଭିତରେ ଥିବା ଚିଙ୍ଗୁଡ଼ି ଘେରୀକୁ ନଷ୍ଟ କରାଯାଉ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତା ପୂର୍ବରୁ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପି ଚିଙ୍ଗୁଡ଼ି ଘେରୀ ଉଛେଦ ନେଇ ସବିଶେଷ ତଥ୍ୟସରକାରଙ୍କୁ ଜଣାଇବେ । ପରବର୍ତ୍ତୀ ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଅପଟୁଡେଟ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.