କଟକରେ ଆଇନଜୀବୀଙ୍କୁ ମାଡ଼ ଘଟଣା : ୯ ତାରିଖ ଭିତରେ ତଦନ୍ତ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଆଇନଜୀବୀଙ୍କୁ ମାଡ଼ ଘଟଣାରେ, ଆସନ୍ତା ୯ ତାରିଖ ଭିତରେ ତଦନ୍ତ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏହାସହ ତଦନ୍ତର ତଦାରଖ କରିବେ ହାଇକୋର୍ଟ ଜଜ୍ ଜଷ୍ଟିସ ସି.ଆର.ଦାଶ। ତଦନ୍ତକାରୀ ଅଧିକାରୀ ପ୍ରତିଦିନ ଜଷ୍ଟିସ ସି.ଆର.ଦାସଙ୍କୁ ତଦନ୍ତର ଅଗ୍ରଗତି ବିଷୟରେ ଜଣାଇବେ। ସେପଟେ ଆଇନଜୀବୀଙ୍କୁ ମାଡ଼ ମରା ଘଟଣାରେ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ। ଆଜି ହାଇକୋର୍ଟ ବାର ଆସୋସିଏସନ ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ଯେଉଁମାନେ ଗତକାଲି ନିଷ୍ପତ୍ତିକୁ ଖିଲାପ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠନ ହେବ ବୋଲି ସଂଘ ତରଫରୁ କୁହାଯାଇଛି। ଗତକାଲି ସଂଘରୁ ଅଲଗା ମତ ରଖି କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ ବିଜେଡି ଲିଗାଲ ଫ୍ରଣ୍ଟର ଆଇନଜୀବୀ । ସୃଷ୍ଟି ହୋଇଥିଲା ଉତ୍ତେଜନା।
ଅନ୍ଯପଟେ ଆନ୍ଦୋଳନରୁ ଓହରିବାକୁ ଆଇନଜବୀଙ୍କୁ ନିବେଦନ କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । କହିଛନ୍ତି ଆଇନଜୀବୀ ଆକ୍ରମଣ ଘଟଣାରେ ୨ଜଣଙ୍କୁ ଗିରଫ ଓ ୪ ଜଣଙ୍କୁ ସସ୍ପେଣ୍ଡ କରାଯାଇଛି । ଆଇଜି ସ୍ତରରେ ତଦନ୍ତ ମଧ୍ୟ ଚାଲିଛି । ଘଟଣାରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି । ହାଇକୋର୍ଟ ଯାହା ନିଷ୍ପତ୍ତି ନେବେ ସରକାର ଗ୍ରହଣ କରିବେ ବୋଲି ଆଇନମନ୍ତ୍ରୀ କହିଛନ୍ତି ।
ଗତକାଲି ଗଣ୍ଡଗୋଳ ସମୟରେ କ୍ରିମିନାଲ କୋର୍ଟର ବାର ଆସୋସିଏସନ ସଦସ୍ୟା ବିଷ୍ଣୁପ୍ରିୟା ବେହାରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଆଉ ଏକ ଏତଲା ହୋଇଛି। ସେପଟେ ଓକିଲଙ୍କୁ ଜଗିବେ ପୋଲିସ। ହାଇକୋର୍ଟ ଭିତରେ ଓ ବାହାରେ ରେଜିଷ୍ଟ୍ରାରଙ୍କ ଚିଠି ଅନୁଯାୟୀ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମୋଟ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଗତକାଲିର ଗଣ୍ଡଗୋଳକୁ ନେଇ ତଦନ୍ତକାରୀ ଅଧିକାରୀ ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି।
ଆଇନଜୀବୀଙ୍କୁ ମାଡ଼ ମରା ଘଟଣା ପରେ ଉଠିଥିବା ବିବାଦ ତୁଟୁ ନାହିଁ। ଏହାସହ ଓକିଲ-ଓକିଲ ମୁହାଁମୁହିଁ ପରିସ୍ଥିତିକୁ ଆହୁରୀ ଜଟିଳ କରି ଦେଇଛି।