ଭୁବନେଶ୍ୱର : ବହୁଚର୍ଚ୍ଚିତ ଭରତପୁର ଥାନା ବିବାଦ ମାମଲାରେ ଏବେ ଫୋକସରେ ଅତିରିକ୍ତ ଡିଜି ଆଧୁନିକୀକରଣ ଦୟାଲ ଗଙ୍ଗୱାର । ୧୪ ଦିନ ମଧ୍ୟରେ ରାଜ୍ୟର ଥାନା ଓ ଫାଣ୍ଡି ଗୁଡିକର ସିସିଟିଭି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କେବଳ ରାଜ୍ୟ ସରକାରଙ୍କ ଅଫିସର ନୁହେଁ ଏହି ମାମଲାର ପରିଚାଳନାରେ ସେ କୋର୍ଟଙ୍କ ଅଫିସର ଭାବେ ସହାୟତା କରିବାକୁ ଦୟାଲ ଗଙ୍ଗୱାରଙ୍କ ସାହାଯ୍ୟ ଲୋଡିଛନ୍ତି ହାଇକୋର୍ଟ । ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାର ବଦଳି ହୋଇ ଅନ୍ୟ ବିଭାଗକୁ ଗଲେ ମଧ୍ୟ ଏହି ମାମଲାର ପରିଚାଳନାରେ ହାଇକୋର୍ଟଙ୍କୁ ସହାୟତା କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । କେବଳ ଥାନା ନୁହେଁ ରାଜ୍ୟର ସମସ୍ତ ଥାନା ଓ ଆଉଟପୋଷ୍ଟ ଗୁଡିକରେ ସିସିଟିଭିର ସ୍ଥିତି କଣ ରହିଛି, ସିସିଟିଭି କାମ କରୁଛି କି ନାହିଁ, ସିସିଟିଭିର ହାର୍ଡଡିସ୍କ କ୍ଷମତା କେତେ ରହିଛି ଏ ସମସ୍ତ ଦିଗରେ ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାର ଯାଞ୍ଚ କରି ହାଇକୋର୍ଟଙ୍କୁ ରିପୋର୍ଟ ଦେବେ । ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାରଙ୍କ ରିପୋର୍ଟ ଉପରେ ଏବେ ସମସ୍ତଙ୍କ ନଜର।
ଲେଫ୍ଟନାଣ୍ଟ ଜେନେରାଲ ପି ଏସ ଶେଖୱାତଙ୍କ ପକ୍ଷରୁ ଆଗତ ଲେଟର ପିଟିସନକୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିସ୍ତୃତ ଶୁଣାଣି କରିଥିଲେ। ଆସନ୍ତା ଅକ୍ଟୋବର ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଥିବା ବେଳେ ତା ପୂର୍ବରୁ ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାର ଓ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ । ଜଣେ ଆର୍ମି ଅଫିସରଙ୍କ ସହିତ ଥାନାରେ କିଭଳି ବ୍ୟବହାର କରାଯିବା ଉଚିତ ଏବଂ ସେନା ଅଧିକାରୀଙ୍କ ସମ୍ମାନ ଓ ମର୍ଯ୍ୟାଦା ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ସରକାର ହାଇକୋର୍ଟଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।