କଟକ: ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଏକ ସାମୁଦ୍ରିକ ବିବାଦ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜଲଧି ଓଭରସିଜ ପିଟିଇ ଲିମିଟେଡ଼ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଏମଭି ଦି ପାଟ୍ରନ ଟିମ ଆଇଏମଓ-481439 ଜାହାଜ ବିରୋଧରେ କରାଯାଇଛି ।
ପ୍ରତିପକ୍ଷ ଏମଭି ଦି ପାଟ୍ରନ ଟିମକୁ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଥିବା ବେଳେ ଜାନୁଆରୀ ୫ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ୨୦୨,୦୦୦ ଆମେରିକୀୟ ଡଲାର ଦାବି କରି ଜଲଧି ଓଭରସିଜ ପିଟିଇ ଲିମିଟେଡ଼ ପକ୍ଷରୁ ଏମଭି ଦି ପାଟ୍ରନ ଆଇଏମଓ-481439 ଜାହାଜ ବିରୋଧରେ ଏହି ମାମଲା ରୁଜୁ ହୋଇଛି ।
ଏମଭି ଦି ପାଟ୍ରନ ଆଇଏମଓ-481439 ଜାହାଜ ପାରାଦୀପ ବନ୍ଦର ଛାଡି ଦେଲେ ଏହି ମାମଲା ନିରର୍ଥକ ହେବ ବୋଲି ଆବେଦନକାରୀ ଦର୍ଶାଇଥିବା ବେଳେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ । ଏହି ଅନ୍ତରୀଣ ଆବେଦନକୁ ଗ୍ରହଣ କରି ଓଡିଶା ହାଇକୋର୍ଟଙ୍କ ଅବକାଶ କାଳୀନ ଖଣ୍ଡପୀଠ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Also read: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ନେଇ ବସିବ ବୈଠକ, ଏସଓପି ପ୍ରସ୍ତୁତି ସମ୍ପର୍କରେ ହେବ ଆଲୋଚନା