ସହିଦ ନଗର ହାଟରୁ ଉଚ୍ଛେଦ କରାଯାଇଥିବା ୧୦ ଜଣ ବ୍ୟବସାୟୀଙ୍କୁ ବିଏମସି ଭବାନୀ ମାର୍କେଟ କଂପ୍ଲେକ୍ସରେ ମିଳିବ ଦୋକାନ ଘର,ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):  ଭୁବନେଶ୍ୱର ସହିଦ ନଗର ହାଟରୁ ଉଚ୍ଛେଦ କରାଯାଇଥିବା ୧୦ ଜଣ ବ୍ୟବସାୟୀଙ୍କୁ ବିଏମସି ଭବାନୀ ମାର୍କେଟ କଂପ୍ଲେକ୍ସରେ ଦୋକାନ ଘର ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚାରି ସପ୍ତାହ ଭିତରେ ଆବେଦନକାରୀଙ୍କୁ ସହିଦ ନଗରସ୍ଥିତ ବିଏମସିର ଏହି ମାର୍କେଟ କଂପ୍ଲେକ୍ସରେ ଦୋକାନ ଘର ଆବଣ୍ଟନ କରାଯିବା ସହିତ ଦଖଲ ଦିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ପୀତବାସ ଜେନା ଓ ଅନ୍ୟ ୯ଜଣଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଶହୀଦନଗର ହାଟରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ବିଏମସି ଉଚ୍ଛେଦ କରିଥିଲା। ପରବର୍ତ୍ତୀ ସମୟରେ ଶହୀଦନଗର ଠାରେ ମାର୍କେଟ କଂପ୍ଲେକ୍ସ ନିର୍ମାଣ ପରେ ଏହି ବ୍ୟବସାୟୀଙ୍କୁ ଦୋକାନ ଘର ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଦୋକାନଘର ଓ ପିଣ୍ଡି ବିଏମସି ମାର୍କେଟ କଂପ୍ଲେକ୍ସରେ ଖାଲିଥିବା ବେଳେ ଆବେଦନକାରୀ ବ୍ୟବସାୟୀଙ୍କୁ ତାହା ପ୍ରଦାନ କରାଯାଇ ନ ଥିଲା। ବିଏମସି କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ନଗର ଉନ୍ନୟନ ବିଭାଗ ଓ ବିଏମସିକୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନୃସିଂହ ଚରଣ ରାଉତ ଓ ‌ସରୋଜ କୁମାର ପାଢୀ ମାମଲା ପରିଚାଳନା କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.