ତହସିଲଦାରଙ୍କ ଅନଲାଇନ ଟ୍ରେନିଂ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ତହସିଲଦାରଙ୍କ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ରାଜ୍ୟର ତହସିଲଦାରମାନଙ୍କର ଅନଲାଇନ ଟ୍ରେନିଂ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏକ ଉଚ୍ଛେଦ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ତହସିଲଦାରମାନଙ୍କ ଉଚ୍ଛେଦ ନୋଟିସରେ ତ୍ରୁଟି ରହୁଛି । କିଭଳି ଜବରଦଖଲ ଉଚ୍ଛେଦ ନୋଟିସ ଦେବାକୁ ହେବ ପର୍ଯ୍ୟାୟକ୍ରମେ ଅନଲାଇନ ଟ୍ରେନିଂ ନେବେ । ସଠିକ୍ ନୋଟିସ ପାଇଲେ ଜନସାଧାରଣ ଦ୍ବନ୍ଦ୍ବରେ ରହିବେନାହିଁ ବୋଲି ହାଇକୋର୍ଟ କହିଛନ୍ତି । ନିର୍ଦ୍ଦେଶ ପାଇବାର ଏକମାସ ମଧ୍ୟରେ ଟ୍ରେନିଂ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି ।

ସୂଚନାଯୋଗ୍ୟ, ଏକ ଉଛେଦ ନୋଟିସକୁ ଚାଲେଞ୍ଜ କରି ହାଇକୋର୍ଟରେ ଆଗତ ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ରାଜ୍ୟର ତହସିଲଦାର ମାନଙ୍କର ଅନଲାଇନ ଟ୍ରେନିଂ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ତହସିଲଦାର ସମେତ ସମସ୍ତ ରେଭିନ୍ୟୁ ଅଫିସର ମାନଙ୍କୁ କିଭଳି ଜବରଦଖଲ ଉଛେଦ ନୋଟିସ ଦେବାକୁ ହେବ ସେ ନେଇ ଅନଲାଇନ ଟ୍ରେନିଂ ଦେବାକୁ କୁହାଯାଇଛି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ରାଜ୍ୟ ସରକାର ଏହି ନିର୍ଦ୍ଦେଶ ପାଇବାର ଏକ ମାସ ମଧ୍ୟରେ ପର୍ଯ୍ୟାୟ କ୍ରମେ ଅନଲାଇନ ଟ୍ରେନିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳର ମଣିନାଥ ସ୍ବାଇଁ ନାମକ ବ୍ୟକ୍ତି ତାଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ତହସିଲଦାର କରିଥିବା ଏନକ୍ରୋଚମେଣ୍ଟ ମାମଲା ଓ ତହସିଲଦାରଙ୍କ କାରଣ ଦର୍ଶାଅ ନୋଟିସକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପଟ୍ଟାମୁଣ୍ଡାଇ ତହସିଲଦାର ଏହି ମାମଲାର ଶୁଣାଣି ସମୟରେ ଭରଚୁଆଲରେ ଉପସ୍ଥିତ ଥିଲେ । ଆବେଦନକାରୀଙ୍କ ତହସିଲଦାରଙ୍କ କାରଣ ଦର୍ଶାଅ ନୋଟିସର ଉତ୍ତର ୧୦ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାପରେ ଏକ ମାସ ମଧ୍ୟରେ ଆଇନ ଅନୁଯାୟୀ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

ତେବେ ତହସିଲଦାରମାନଙ୍କର ଉଚ୍ଛେଦ ନୋଟିସରେ ତ୍ରୁଟି ରହୁଥିବା ମାନ୍ୟବର ହାଇକୋର୍ଟ ହୃଦୟଙ୍ଗମ କରିଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ରେଭିନ୍ୟୁ ଅଧିକାରୀ ମାନଙ୍କର ପର୍ଯ୍ୟାୟ କ୍ରମେ ଏ ନେଇ ଅନଲାଇନ ଟ୍ରେନିଂ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସଠିକ ଭାବେ ଉଚ୍ଛେଦ ନୋଟିସ ଦିଆଗଲେ ଜନସାଧାରଣ କୌଣସି ଦ୍ୱନ୍ଦରେ ପଡିବେ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।