ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଜନସ୍ୱାର୍ଥ ମାମଲା:ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଜବାବ ତଲବ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍):ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଜବାବ ତଲବ କରିଛନ୍ତି ଓଡିଶା ହାଇକୋର୍ଟ। କଣ ନିର୍ମାଣ ହେଉଛି, କିଏ ନିର୍ମାଣ କରୁଛି ଓ ଶ୍ରୀମନ୍ଦିର ପ୍ରତି କି ବିପଦ ରହିଛି ସେ ସମ୍ପର୍କରେ ଏହି ରିପୋର୍ଟ ମାଗିଛନ୍ତି ହାଇକୋର୍ଟ। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଜବାବ୍ ରଖିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ପ୍ରତ୍ନତତ୍ତ୍ୱ ବିଭାଗ ସେହି ସ୍ଥାନକୁ ସ୍ୱାଧୀନ ଭାବରେ ଯାଇ ଖନନର ତଦାରଖ କରି ପାରିବ କିନ୍ତୁ ଯିବା ପୂର୍ବରୁ ଗସ୍ତ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇବାକୁ କହିଛନ୍ତି ହାଇକୋର୍ଟ।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଆର କେ ପଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୧ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣିର ତିନି ଦିନ ପୂର୍ବରୁ ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗ ରିପୋର୍ଟ ହାଇକୋର୍ଟରେ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଏହି ରିପୋର୍ଟର କପି ଆବେଦନକାରୀଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ପୁରୀର ସମାଜସେବୀ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.