ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନାହିଁ, HSRP ବୁକିଂକୁ ଡେଡଲାଇନକୁ ନେଇ ନାପସନ୍ଦ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ହାଇକୋର୍ଟରେ ହାଇ ସିକୁରିଟ ନମ୍ବର ପ୍ଲେଟ ମାମଲାରେ ନମ୍ବର ପ୍ଲେଟ ଲଗାଇବାକୁ ସୁବ୍ୟବସ୍ଥିତ ନ କରି ବିଭାଗ ପକ୍ଷରୁ ଡେଡ଼ ଲାଇନ ଦିଆଯିବାକୁ ନାପସନ୍ଦ କରିଛନ୍ତି ଓଡିଶା ହାଇକୋର୍ଟ। ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନ ଥିବା ବେଳେ HSRP ରେ ବୁକିଂ କରିବା ସମ୍ଭବ ମଧ୍ୟ ହେଉନାହିଁ। ତେଣୁ ଏ କ୍ଷେତ୍ରରେ କଣ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ ସେ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ପବିତ୍ର ମୋହନ ଖଟୁଆଙ୍କ ଆବେଦନର ଶୁଣାଣି କରି ରାଜ୍ୟର ଗ୍ରାମାଞ୍ଚଳରେ ରହୁଥିବା ଲୋକ, ଅଶିକ୍ଷିତ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କର ଫିଟମେଣ୍ଟ ପାଇଁ କି ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଜଣାଇବା ପାଇଁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଅକ୍ଟୋବର ୧ ରୁ ହାଇ ସିକୁରିଟ ନମ୍ବର ପ୍ଲେଟର ଚେକିଂ କଡାକଡି କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ତେବେ ତା ପୂର୍ବରୁ ଦୁଇ ଦିନ ମଧ୍ୟରେ ପରିବହନ ବିଭାଗରୁ ମତାମତ ଆଣି କୋର୍ଟରେ ଉପସ୍ଥାପନ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ୩୦ ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ। ଦେଶରେ ୨୦୧୯ ଏପ୍ରିଲ ୧ ରୁ ବିଭିନ୍ନ ଯାନବାହାନରେ ହାଇ ସିକୁରିଟ ନମ୍ବର ପ୍ଲେଟ ବା ଏଚଏସଆରପି ଲାଗୁ କରାଯାଇଛି। ତା ପୂର୍ବରୁ ଥିବା ଯାନ ଗୁଡିକରେ ମଧ୍ୟ ହାଇ ସିକୁରିଟ ନମ୍ବର ପ୍ଲେଟ ବା ଏଚଏସଆରପି ଫିଟମେଣ୍ଟ କରାଇବାକୁ କେନ୍ଦ୍ର ସରକାରଙ୍କ ପରିଵହନ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଓଡିଶାରେ ଏହାକୁ ଲାଗୁ କରିବା ପାଇଁ ରାଜ୍ୟ ପରିବହନ ନିଗମ ମେ ଶେଷ ସପ୍ତାହରେ ବିଜ୍ଞପ୍ତି ଜାରି କରିଥିଲେ। ନିଜ ଗାଡି ନମ୍ବରର ଶେଷରେ ୧ ଓ ୨ ଥିଲେ ଅଗଷ୍ଟ ୩୧ ଏଚଏସଆରପି ଫିଟମେଣ୍ଟ ପାଇଁ ଶେଷ ତାରିଖ ଥିଲା। କିନ୍ତୁ ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ତାହାକୁ ଆଉ ଏକମାସ ବୃଦ୍ଧି କରାଯାଇଥିଲା। ୧,୨,୩,୪ ନମ୍ବର। ପାଇଁ ସେପ୍ଟେମ୍ବର ୩୦, ଗାଡି ନମ୍ବର ଶେଷରେ ୫ ଓ ୬ ଥିଲେ ଅକ୍ଟୋବର ୩୧, ୭ ଓ ୮ ଥିଲେ ନଭେମ୍ବର ୩୦, ଗାଡି ନମ୍ବର ଶେଷରେ ୯ ଓ ୦ ଥିଲେ ଡିସେମ୍ବର ୩୧ ଶେଷ ତାରିଖ ଭାବେ ଏଚଏସଆରପି ଫିଟମେଣ୍ଟ ପାଇଁ ଧାର୍ଯ୍ୟ କରିଛି ବିଭାଗ। କିନ୍ତୁ ବୁକିଂ କରିବା ଓ ସ୍ଲଟ ପାଇବାରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଜନସାଧାରଣ।

ଗତ ୨୬ ତାରିଖରେ ରାଜ୍ୟ ପରିବହନ ନିଗମ ଅନ୍ୟ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିଲା ଯେ, ଯଦି ଏଚଏସଆରପି ଫିଟମେଣ୍ଟ ପାଇଁ ବୁକିଂ କରିଥିବେ ସେହି ସ୍ଲିପ ଦେଖାଇଲେ ଧାର୍ଯ୍ୟ ଜୋରିମାନାରୁ ମୁକ୍ତି ପାଇ ପାରିବେ। କିନ୍ତୁ କଟକ ଭୁବନେଶ୍ୱରରେ ଟ୍ରାଫିକ ପୋଷ୍ଟରେ ସିସିଟିଭି କ୍ୟାମେରାର ଫଟୋ ଉଠାଇ ଭିସିଆର ମେସେଜ ମୋବାଇଲକୁ ଛଡା ଯାଉଛି। ଏଭଳି ସ୍ଥଳେ କାହାକୁ ଗାଡି ମାଲିକ ଫିଟମେଣ୍ଟ ବୁକିଂ କରିଥିବା ରସିଦ ଦେଖାଇବେ ବୋଲି ମୁଖ୍ୟ ବିଚାରପତି ପ୍ରଶ୍ନ କରିଥିଲେ। ଏଚଏସଆରପି ଫିଟମେଣ୍ଟ ପାଇଁ ଅଧିକ ଦୁଇ ମାସ ସମୟ ଦେଇ ହେବ କି ନାହିଁ ବୋଲି ସେ ସମ୍ପର୍କରେ ବିଭାଗରୁ ବୁଝି ହାଇକୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ।

Leave A Reply

Your email address will not be published.