କଟକ : ଏବେ ଚାଲିଛି ଗଣେଶ ମହୋତ୍ସବ, ଆଗକୁ ରହିଛି ଦୁର୍ଗାପୂଜା,କାଳୀପୂଜା, କାର୍ତିକେଶ୍ୱର୍ ପୂଜା । କଟକ ସହରରେ ପାର୍ବଣର ଆୟୋଜନକୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶଗୁଡ଼ିକର କଡାକଡି ଅନୁପାଳନ କରାଯିବ ବୋଲି କହିଛନ୍ତି କଟକ ଡିସିପି । ବିଶେଷ କରି ରାସ୍ତା ଅବରୋଧ କରି କୌଣସି ପ୍ରକାର ନିର୍ମାଣ ବା କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଡିସିପି କହିଛନ୍ତି । କୌଣସି ପୂଜା ମଣ୍ଡପରେ ଧନ ଜୀବନ ହାନି ହେବାର ସମ୍ଭାବନା ଥିବା ଢ଼ଙ୍ଗରେ ତୋରଣ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ ବୋଲି ଡିସିପି କହିଛନ୍ତି ।
ସେହିପରି କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶବ୍ଦ ପ୍ରଦୂଷଣ ନେଇ ଥିବା ଗାଇଡ ଲାଇନକୁ କଡାକଡି ଭାବରେ ପାଳନ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ରାତି ସାଢ଼େ ଦଶଟା ସୁଦ୍ଧା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ୍ କରାଯିବ, ୬୫ ଡେଶିବଲ ରୁ ଅଧିକ ଶବ୍ଦ କରୁଥିବା ସାଉଣ୍ଡବକ୍ସ ବଜାଇ ବାକୁ ଅନୁମତି ଦିଆଯିବ ନାହିଁ ।
ଏସବୁର ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କଟକ ଡିସିପି । ସମସ୍ତ ପୂଜା କମିଟିଗୁଡ଼ିକୁ ଏ ନେଇ ଅବଗତ କରାଯାଇଥିବା ଡିସିପି କହିଛନ୍ତି। ଲାଇଟ୍ ଗେଟ୍ ଗୁଡ଼ିକୁ ନେଇ ଆଗାମୀ ଦିନରେ ଏକ ବୈଠକ ଅନୁଷ୍ଠିତ ହେବ ଏବଂ ଏ ନେଇ ଆଲୋଚନା ପରେ ହିଁ କୋର୍ଟଙ୍କୁ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି କିଛି ନିଷ୍ପତ୍ତି ନିଆଯିବ ବୋଲି ଡିସିପି କହିଛନ୍ତି। ଭସାଣି ଶୋଭାଯାତ୍ରା ତଥା ପୂଜା ସମୟରେ ସହରର ଆଇନଶୃଙ୍ଖଳାକୁ ନେଇ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ସଠିକ୍ ଢ଼ଙ୍ଗରେ ପାଳନ କରାଯିବ ବୋଲି କଟକ ଡିସିପି କହିଚନ୍ତି ।