ଜାମିନରେ ଛାଡ଼ିବାକୁ ହାଇକୋର୍ଟଙ୍କ ଚର୍ଚ୍ଚିତ ନିର୍ଦ୍ଦେଶ, ଅଭିଯୁକ୍ତଙ୍କୁ ହସ୍ପିଟାଲ ରୁମ୍ ଓ ୱାର୍ଡ ଏକ ମାସ ସଫେଇ ସର୍ତ୍ତ

କଟକ : ଅଭିଯୁକ୍ତଙ୍କ ଭିତରେ ସୁଧାର ଓ ସଂସ୍କାର ଆଣିବା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ହାଇକୋର୍ଟ ଏକ ଚର୍ଚ୍ଚିତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କୁ ହାଇକୋର୍ଟ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ସହିତ ହସ୍ପିଟାଲ ରୁମ୍ ଓ ୱାର୍ଡ ଏକ ମାସ ସଫେଇ ଭଳି ନିଆରା ସର୍ତ୍ତାରୋପ କରିଛନ୍ତି । ଜାମିନରେ ଛାଡ଼ ପାଇବା ପରେ ଆବେଦନକାରୀ ଏକ ମାସ କ୍ୟାପିଟାଲ ହସ୍ପିଟାଲର ରୁମ୍ ଓ ୱାର୍ଡ ସଫା କରିବେ । ଏଥି ପାଇଁ ଆବେଦନକାରୀ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକଙ୍କ ଦ୍ବାରସ୍ଥ ହେବେ ।
ଏକ ମାସ ହସ୍ପିଟାଲର ରୁମ୍ ଓ ୱାର୍ଡ ସେଫେଇ ପାଇଁ ସୁଯୋଗ ଦେବା ପାଇଁ ଅଧସ୍ତନ କର୍ମଚାରୀଙ୍କୁ ଅଧୀକ୍ଷକ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରି ବା ପାଇଁ ଆବେଦନକାରୀ ଅନୁରୋଧ କରିବେ । ଏଥି ସହିତ ଡୁମ୍ ଡୁମା ଅଞ୍ଚଳରେ ୧ଶହ ଆମ୍ବ, ନିମ, ତେନ୍ତୁଳି ଭଳି ଗଛ ଆବେଦନକାରୀ ଲଗାଇବେ । ଆଗାମୀ ମୌସୁମୀରେ ଆବେଦନକାରୀ ଏହି ଗଛ ଡୁମଡୁମା ଅଞ୍ଚଳର ସରକାରୀ ଜମି/ ଗୋଷ୍ଠୀ/ ଘରୋଇ ଜମିରେ ଲଗାଇବେ। ଯଦି ଜମି ଉପଲବ୍ଧ ନ ହୁଏ ତେବେ ଚାରା ରୋପଣ ପାଇଁ ଆବଶ୍ୟକ ଜମି ଚିହ୍ନଟ ପ୍ରସଂରେ ରାଜସ୍ବ କର୍ତ୍ତୃପକ୍ଷ ସହାୟତା କରିବେ ।
ଜିଲ୍ଲା ନର୍ସରି/ଡିଏଫଓ ଚାରା ଯୋଗାଇବା ପ୍ରସଂଗରେ ସହଯୋଗ କରିବେ। ଆବେଦନକାରୀ ଚାରା ରୋପଣ କରିଲେ କି ନାହିଁ ତାହା ସଂପୃକ୍ତ ଥାନା ଆଇଆଇସି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ ସହିତ ସମନ୍ବୟ ରଖି ତଦାରଖ କରିବେ ବୋଲି ହାଇକୋର୍ଟ କହିଛନ୍ତି। ସେହିପରି ଆବେଦନକାରୀ ମାମଲାର ପ୍ରତି ତାରିଖରେ ନିମ୍ନ ଅଦାଲତରେ ହାଜର ହେବେ। ଜାମିନରେ ଥିବା ବେଳେ କୌଣସି ଅପରାଧିକ ମାମଲାରେ ସଂପୃକ୍ତ ହେବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି।
ଯଦି ଜାମିନ ସର୍ତ୍ତ ଉଲ୍ଲଂଘନ କରନ୍ତି ତେବେ ଆବେଦନକାରୀଙ୍କ ଜାମିନ ବାତିଲ ହେବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବି.ଆର. ଦାସଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଜଣେ ବ୍ୟକ୍ତିଙ୍କ ଏତଲା ଆଧାରରେ ଜଟଣୀ ଇନଫୋଭ୍ୟାଲି ଥାନା ପୁଲିସ ବିଏନଏସର ଧାରା ୩୦୯(୪)/୩(୫)ରେ ମାମଲା ରୁଜୁ କରିବା ସହିତ ଆବେଦନକାରୀଙ୍କୁ ଗତ ଜାନୁଆରି ୨୭ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।