କାରରେ ଆସିଲେ ହାଇ ପ୍ରୋଫାଇଲ୍ ଚୋର, ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୨ ଲକ୍ଷ ଟଙ୍କା

ତାଳଚେର: କାରରେ ଆସିଲେ ହାଇ ପ୍ରୋଫାଇଲ୍ ଚୋର ଆଉ ଲୁଟିନେଲେ ୨ ଲକ୍ଷ ଟଙ୍କା । ହଁ ଆଜ୍ଞା କଥାଟା ବିଶ୍ୱାସ ହେଉନଥିଲେ ବି ସତ । ସାଇକେଲ କି ବାଇକ ନୁହେଁ କାରରେ ଆସିଲେ ଚୋର ଆଉ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ନିଜ ଦାମୀ ସଉକ ପୂରଣ କରିବା ପାଇଁ ନିରୀହ ଲୋକଙ୍କୁ କରୁଛନ୍ତି ଟାର୍ଗେଟ । ଆଜିକାଲି ଦିନ ରାତି କିଛି ମାନୁନାହାନ୍ତି ଏ ଦୁର୍ବୃତ୍ତ । ବେଧଡ଼କ ଭାବେ କରୁଛନ୍ତି ଲୁଟ । ଲୁଟେରାମାନେ ଲୁଟିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି । ଏମାନଙ୍କର ନା ଅଛି ଆଇନ୍‌ କୁ ଭୟ ନା ଅଛି ପୋଲିସର ଭୟ ।

ଘର, ଦୋକାନ ବଜାର, ମନ୍ଦିରରେ ଲୁଟ ଖବର ତ ଆପଣମାନେ ଶୁଣିଥିବେ । କିନ୍ତୁ ଏବେ ସିଧା ସଳଖ ମଣିଷଙ୍କୁ ଲୁଟେରାମାନେ ଟାର୍ଗେଟ କରୁଛନ୍ତି । କିଛି ଚୋର ରାତିର ଅନ୍ଧକାରରେ ଚୋରି କରିବା ପାଇଁ ଯୋଜନା କରୁଥିବାବେଳେ କିଛି ଲୁଟେରା ଏପରି ଅଛନ୍ତି ଯେଉଁମାନେ ଦିନ ଦ୍ୱିପ୍ରହରରେ ଚୋରି କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି । ତାଳଚେର ବହ୍ଲର ଛକ ସ୍ଥିତ ମା’ ହିଙ୍ଗୁଳା ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ହୋଇଛି ଏଭଳି ଲୁଟ । ଦିନ ଦ୍ଵି ପ୍ରହରରେ ଖଣ୍ଡା ଓ ମାରଣାସ୍ତ୍ର ଦେଖାଇ ଦୁଇ ଲକ୍ଷ ଟଙ୍କା ଲୁଟିନେଲେ ୫ ଦୁର୍ବୃତ୍ତ ।

ପେଟ୍ରୋଲ ପମ୍ପର ଦୁଇ କର୍ମଚାରୀ ବାଇକ୍ ଯୋଗେ ବହ୍ଲର ଗାଁରୁ ବାହାରି କେନାଲ ରାସ୍ତାରେ ବ୍ୟାଙ୍କକୁ ଯାଉଥିବା ବେଳେ ପଛ ପଟୁ ଦୃତ ଗତିରେ ଏକ କାର ଆସି ତାଙ୍କୁ ସାଇଡରୁ ଧକ୍କା ଦେଇଥିଲା । ପରେ ଉଭୟ କର୍ମଚାରୀ ଗାଡିରୁ ପଡ଼ିଯିବା ପରେ କାରରୁ ୪ ଜଣ ବାହାରି କର୍ମଚାରୀଙ୍କୁ ମାଡ ମାରିଥିଲେ ଏବଂ ମାରଣାସ୍ତ୍ର ଦେଖାଇ ବାଇକ ଡିକିରୁ ଟଙ୍କା ନେଇ ହାଟତୋଟା ଆଡ଼କୁ ଚମ୍ପଟ ମାରିଥିଲେ । ପରେ କର୍ମଚାରୀ ମାନେ ପେଟ୍ରୋଲ ପମ୍ପ ମାଲିକଙ୍କୁ ଘଟଣା ବିଷୟରେ ଜଣାଇବା ପରେ ମାଲିକ ପୋଲିସକୁ ଫୋନ୍ କରିଥିଲେ ।

ଅନ୍ୟପଟେ ତାଳଚେର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏଭଳି ଲୁଟର ଘଟଣା ପ୍ରାୟ ପ୍ରତ୍ୟେକ ଦିନ ଆସୁଛି । ଲୋକମାନେ ଯେତେ ସତର୍କ ହେଲେ ବି ଏ ଚୋରମାନେ କିଛି ନା କିଛି ଉପାୟ ଆପଣେଇ ଲୋକଙ୍କୁ ଟାର୍ଗେଟ କରି ଟଙ୍କା ଲୁଟୁଛନ୍ତି । ତେବେ ଆପଣମାନେ ଯଦି ଏ ଚୋରଙ୍କ ହାବୁଡ଼ରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଯଥା ସମ୍ଭବ ସତର୍କ ରୁହନ୍ତୁ । ବ୍ୟାଙ୍କରୁ ଟଙ୍କା ଉଠାଇ ଆଣୁଥିବା ସମୟରେ ଧ୍ୟାନ ରଖନ୍ତୁ । ଯଦି ଆପଣଙ୍କର କେହି ବି ପିଛା କରୁଛନ୍ତି ତେବେ ପୋଲିସକୁ ସଙ୍ଗେ ସଙ୍ଗେ ଖବର ଦିଅନ୍ତୁ ।

Also read: ନିଶା କାରବାର ଅଭିଯୋଗରେ ପୋଲିସର ରେଡ୍‌, ୮ ଟି ଦୋକାନରେ ଚଢ଼ାଉ