ସ୍ୱାଧୀନତା ଦିବସ ପୂର୍ବରୁ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ସମ୍ବେଦନଶୀଳ ସ୍ଥାନମାନଙ୍କରେ ସେନା ଛାଉଣୀ

ଭୁବନେଶ୍ବର (କେନ୍ୟୁଜ୍): ସ୍ୱାଧୀନତା ଦିବସ ପୂର୍ବରୁ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । କନ୍ଧମାଳ ଜିଲ୍ଲାରେ ଧୁମଧାମରେ ପାଳିତ ହେବ ସ୍ୱାଧୀନତା ଦିବସ । ଏଥିପାଇଁ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ତୀକ୍ଷ୍‌ଣ ନଜର ରଖିଛି ପୋଲିସ । ଜିଲ୍ଲାର ସମସ୍ତ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ସ୍ଥାନମାନଙ୍କରେ ଯବାନ ମାନେ କମ୍ବିଂ କରିଛନ୍ତି । ପ୍ରତ୍ୟେକ ଢାବା, ହୋଟେଲ ଆଦିକୁ ଯାଞ୍ଚ କରିବା ସହିତ ସମସ୍ତ ଗାଡ଼ିମଟରକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ସ୍ୱାଧୀନତା ଦିବସ କିପରି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ସେନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

ମାଲକାନଗିରିରେ ସ୍ୱାଧୀନତା ଦିବସ ପାଇଁ ଡିଏନ୍‌କେ ପଡ଼ିଆରେ ପରେଡ ଅଭ୍ୟାସ ହୋଇଛି । ନକ୍ସଲ ପ୍ରବଣ ଜିଲ୍ଲା ହୋଇଥିବାରୁ ପୋଲିସ ଓ ବିଏସଏଫ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଜିଲ୍ଲାର ସମସ୍ତ ସୀମାକୁ ସିଲ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଶେଷ କରିଥିବା ବେଳେ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ନେଇ କ଼ଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। କୋରାପୁଟ ଜିଲ୍ଲାରେ ମଧ୍ୟ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ସନ୍ଧାନୀ କୁକୁର ଦ୍ୱାରା ପରେଡ ପ଼ଡିଆକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି। ପରେଡ ସରିବା ପର୍ଯ୍ୟନ୍ତ ସହର ମଧ୍ୟକୁ କୌଣସି ଗାଡ଼ିକୁ ପ୍ରବେଶ କରାଇଦିଆଯିବ ନାହିଁ। ଜୟପୁର ଓ ସୁନାବେଡ଼ା ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ସହର ବାହାରେ ଅଟକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସୀମାନ୍ତ ଓ ପ୍ରବେଶ ପଥକୁ ସିଲ କରାଯାଇଛି ।