ରେମାଲ ପ୍ରଭାବରେ ସୃଷ୍ଟି ହେଲା ଉଚ୍ଚ ଲହଡ଼ି, ଋଷିକୁଲ୍ୟାରେ ଖୋଲିଲା ଦ୍ୱିତୀୟ ମୁହାଁଣ

ଏନେଇ ସ୍ଥାନୀୟ ଋଷିକୁଲ୍ୟା ସମୁଦ୍ର କଇଁଚ ସୁରକ୍ଷା ସମିତି ସମ୍ପାଦକ ରବିନ୍ଦ୍ରନାଥ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନୂଆ ମୁହାଁଣଟି ଖୋଲିବା ଫଳରେ ନଦୀ ଓ ସମୁଦ୍ର ମଧ୍ୟରେ ଠିକ ଭାବରେ ଜୁଆର ଓ ଭଟା ସମୟରେ ଜଳ ନିଷ୍କାସନ ହୋଇପାରିବ ବୋଲି ପରିବେଶବିତ ସୂଚନା ଦେଇଛନ୍ତି ।

ଗଞ୍ଜାମ(କେନ୍ୟୁଜ): ରେମାଲ ଯୋଗୁ ଅଶାନ୍ତ ରହିଛି ସମୁଦ୍ର । ସାମୁଦ୍ରିକ ଝଡ଼ “ରେମାଲ” ପଶ୍ଚିମବଙ୍ଗ ଓ ବାଲାଂଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁଛି । ଫଳରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଉଚ୍ଚ ଲହଡ଼ି ସୃଷ୍ଟି ହୋଇଛି । କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଖୁସି ଖବର । ଯାହାକୁ ନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଧ ଗ୍ରାମ ସ୍ଥିତ ମା’ ଗଙ୍ଗାଦେବୀ ମନ୍ଦିର ସମ୍ମୁଖରେ ନୂତନ ଭାବେ ଦ୍ୱିତୀୟ ମୁହାଁଣ ଖୋଲିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ମତ୍ସଜୀବିମାନେ ବେଶ ଖୁସି ଅଛନ୍ତି ।

ଏନେଇ ସ୍ଥାନୀୟ ଋଷିକୁଲ୍ୟା ସମୁଦ୍ର କଇଁଚ ସୁରକ୍ଷା ସମିତି ସମ୍ପାଦକ ରବିନ୍ଦ୍ରନାଥ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନୂଆ ମୁହାଁଣଟି ଖୋଲିବା ଫଳରେ ନଦୀ ଓ ସମୁଦ୍ର ମଧ୍ୟରେ ଠିକ ଭାବରେ ଜୁଆର ଓ ଭଟା ସମୟରେ ଜଳ ନିଷ୍କାସନ ହୋଇପାରିବ ବୋଲି ପରିବେଶବିତ ସୂଚନା ଦେଇଛନ୍ତି ।ପ୍ରଥମ ମୁହାଁଣଟି ସମ୍ପ୍ରତି ଗଙ୍ଗାଦେବୀ ମନ୍ଦିର ନିକଟରୁ ଉତ୍ତର ଦିଗରେ ପ୍ରାୟ ୪ କିଲୋମିଟର ଦୂରତା ମଧ୍ୟରେ ରହିଥିବା ବେଳେ ସେହି ମୁହାଁଣଟି ଧୀରେ ଧୀରେ ପୋତି ହେବାକୁ ବସିଲାଣି । ବର୍ତ୍ତମାନ ନୂତନ ମୁହାଁଣ ଖୋଲିବା ଜଣା ପଡିବା ଫଳରେ ପରିବେଶବିତ ଓ ସ୍ଥାନୀୟ ମତ୍ସ୍ୟଜୀବି ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।

ନୂଆ ମୁହାଁଣଟି ଖୋଲିବା ଯୋଗୁଁ ଆଗାମୀ ବର୍ଷା ଦିନରେ ବନ୍ୟା ବିପତ୍ତିରୁ ସ୍ଥାନୀୟ ଜନ ବସତି ସୁରକ୍ଷାରେ ରହିପାରିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଅନ୍ୟପଟେ ନୂତନ ମୁହାଁଣ ଖୋଲିବା ଯୋଗୁଁ ସ୍ଥାନୀୟ ମତ୍ସଜୀବିମାନେ ଠିକ ଭାବେ ମାଛ ମାରି ଜୀବିକା ଅର୍ଜନ କରିପାରିବେ ବୋଲି କହିଛନ୍ତି । ଯାହାକୁ ନେଇ ଋଷିକୁଲ୍ୟା ନଦୀରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବି ମାନେ ଖୁସି ଜାହିର କରିଛନ୍ତି ।

ଏହି ମୁହାଣ ଖୋଲିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ମତ୍ସ୍ୟଜୀବିମାନେ ବେଶ ଖୁସି ଅଛନ୍ତି । ପୂର୍ବରୁ ଥିବା ମୁହାଣଟି ଧିରେ ଧିରେ ପୋତି ହୋଇଯାଉଥିବାରୁ ମତ୍ସ୍ୟଜୀବିମାନେ ଚିନ୍ତାରେ ଥିଲେ । କିନ୍ତୁ ଏହି ଦ୍ୱୀତିୟ ମୁହାଣ ଖୋଲିବା ପରେ ସେମାନଙ୍କ ମନରେ ନୂଆ ଆଶା ଜନ୍ମିଛି ।