ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଥମିବ ପ୍ରଚାର, ଭୋଟରଙ୍କୁ ମନାଇବାକୁ ଶେଷ ପ୍ରୟାସ

ଭୁବନେଶ୍ୱର (କେନ୍ୟୁଜ): ଶେଷ ପର୍ଯ୍ୟାୟ ଲଢ଼େଇ, ଶେଷ ପ୍ରଚାର । ଭୋଟରଙ୍କୁ ମନାଇବାକୁ ଶେଷ ପ୍ରୟାସ । ଆଜି ରାଜ୍ଯରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ସରିବ । ଏଥିପାଇଁ ସବୁ ରାଜନୈତିକ ଦଳ, ପ୍ରାର୍ଥୀ ଓ ହେଭିୱେଟମାନେ ଜୋରଦାର କ୍ୟାମ୍ପେନ କରୁଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ଓ ଏହା ଅଧୀନ ୪୨ବିଧାନସଭା ଆସନରେ ଜୁନ୧ରେ ଭୋଟ ନିଆଯିବ । ବହୁ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଆଳିରୁ ପ୍ରତାପ ଦେବ, କାକଟପୁରରୁ ତୁଷାରକାନ୍ତି ବେହେରା, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡ଼େଇ, ଜଳେଶ୍ବରରୁ ଅଶ୍ବିନୀ ପାତ୍ର ନିର୍ବାଚନ ଲଢୁଛନ୍ତି। ବାଚସ୍ପତି ପ୍ରମିଳା ମଲ୍ଲିକ ବିଞ୍ଝାରପୁର ଆସନରୁ ନିର୍ବାଚନ ଲଢୁଥିବା ବେଳେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଜଗତସିଂହପୁରରୁ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ଭଦ୍ରକ ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି। ଭଣ୍ଡାରୀପୋଖରୀ ଆସନରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ଆସନରୁ ନିର୍ବାଚନ ଲଢୁଛନ୍ତି।

୨୦୧୯ ନିର୍ବାଚନରେ ଏହି ଆସନ ଗୁଡ଼ିକରେ ଭଲ ରହିଥିଲା ବିଜେଡିର ପ୍ରଦର୍ଶନ। ୬ ଲୋକସଭା ଆସନରୁ ବିଜେଡି ଖାତାକୁ ୪ଟି ସିଟ ଯାଇଥିବା ବେଳେ ବିଜେପି ୨ଟି ଆସନରେ ବିଜୟୀ ହୋଇଥିଲା। ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ବାଜିମାତ କରିଥିଲା ବିଜେଡି। ମୟୂରଭଞ୍ଜ ଓ ବାଲେଶ୍ବରରେ ବିଜେପି ବିଜୟୀ ହୋଇଥିଲା। ଗତ ଲୋକସଭା ନିର୍ବାଚନରେ ବିଜେଡିର ଷ୍ଟ୍ରାଇକ ରେଟ ୬୦ ପ୍ରତିଶତ ଥିବା ବେଳେ ବିଜେପିର ଷ୍ଟ୍ରାଇକ ରେଟ ୪୦ ପ୍ରତିଶତ ରହିଥିଲା।

ସେହିପରି ୪୨ ବିଧାନସଭା ଆସନ ମଧ୍ୟରୁ ବିଜେଡି ୩୩ଟିରେ ବାଜିମାତ କରିଥିଲା। ବିଜେପି ଖାତାକୁ ଯାଇଥିଲା ୯ଟି ଆସନ। ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା ଆସନରୁ ସର୍ବାଧିକ ୬ ଟି ଆସନ ଯଶୀପୁର, ସାରସକଣା, ରାଇରଙ୍ଗପୁର, ଉଦଳା, ବାରିପଦା ଓ ବଡ଼ସାହି ଆସନରେ ବିଜୟୀ ହୋଇଥିଲା ବିଜେପି। ଏହା ସହ ବାଲେଶ୍ବର, ଧାମନଗର ଓ ନୀଳଗିରି ଆସନ ବି ହାତେଇଥିଲା। ପରେ ଉପନିର୍ବାଚନରେ କିନ୍ତୁ ବାଲେଶ୍ବର ଆସନ ଦଖଲ କରିଥିଲା ବିଜେଡି। ବିଜେଡିର ଷ୍ଟ୍ରାଇକ ରେଟ ୭୮.୫୭ ପ୍ରତିଶତ ରହିଥିଲା। ବିଜେପିର ଷ୍ଟ୍ରାଇକ ରେଟ ଥିଲା ୨୧.୪୨ ପ୍ରତିଶତ। ଆଜି ପ୍ରଚାର ସରୁଥିବା ବେଳେ ମଇଦାନ ସରଗରମ ହୋଇଛି ।