ଛତ୍ରପୁର, ଆସ୍କା ଓ ଭଞ୍ଜନଗର ଏନଏସିକୁ ପୌର ପରିଷଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ

ଛତ୍ରପୁର, ଆସ୍କା ଓ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ହେବ ପୌର ପରିଷଦ। ଏନେଇ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରି କୋର୍ଟ ଗତ ଜୁନ ମାସ ୧୧ ତାରିଖରେ ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। କାହିଁକି ଏହି ତିନୋଟି ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମ୍ୟୁନସିପାଲିଟ୍‌ କରାନଯିବ ସେ ସମ୍ପର୍କରେ ହାଇକୋର୍ଟରେ ଜବାବ ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଜବାବରେ ଦର୍ଶାଯାଇଥିଲା ଏସବୁ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌର ପରିଷଦରେ ପରିଣତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଗତ ବର୍ଷ ଜୁଲାଇ ମାସରେ ଏହି ତିନୋଟି ସହରକୁ ମ୍ୟୁନିସପାଲିଟି କରିବାକୁ ସରକାରଙ୍କ ନିକଟରେ ଦାବି ରଖିଥିଲେ। ତେବେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପରିଷଦ ପକ୍ଷରୁ ଗତ ଜୁନ ୩ ତାରିଖରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା।