ପାଳିତ ହେଲା ହିନ୍ଦୁ ନବବର୍ଷ, କୁନି କୁନି କଳାକାରମାନଙ୍କ ନୃତ୍ୟଗୀତରେ କମ୍ପିଲା ଖଡିଆଳ

ପବିତ୍ର ଚୈତ୍ର ଶୁକ୍ଲ ପ୍ରତିପଦା ଉପଲକ୍ଷେ ନୂଆପଡା ଜିଲ୍ଲା ଖଡିଆଳ ସହରରେ ହିନ୍ଦୁ ନବବର୍ଷକୁ ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପାଳନ କରାଯାଇଛି । ଏଥିପାଇଁ ଖଡିଆଳ ସହର ଏବେ ବେଶ ଚଳଚଞ୍ଚଳ ହୋଇପଡିଛି । ଏହି ଅବସରରେ ଘୁମୁରା ନୃତ୍ୟ, ଘଣ୍ଟଘଣ୍ଟା, ସଂକୀର୍ତ୍ତନ ଓ ଦୁଲଦୁଲି ବାଜାର ତାଳେ ତାଳେ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ ହୋଇଥିଲା । କୁନି କୁନି କଳାକାରମାନଙ୍କ ନୃତ୍ୟଗୀତରେ ଖଡିଆଳ ସହର ବେଶ ଉତ୍ସବମୁଖର ହୋଇପଡିଥିଲା । ଏଥିରେ ଖଡିଆଳ ଅଞ୍ଚଳର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନଙ୍କ ସହ ହଜାର ହଜାର ଜନସାଧାରଣ ସାମିଲ ହୋଇଥିଲେ ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖଡିଆଳ ଠାରେ ହିନ୍ଦୁ ନବବର୍ଷ ପାଳନ ସମିତି ପକ୍ଷରୁ ହିନ୍ଦୁ ନବବର୍ଷ ବହୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି । ସନାତନ ସଂସ୍କୃତି ଅନୁସାରେ ଚୈତ୍ର ଶୁକ୍ଲ ପ୍ରତିପଦାରେ ପରମବ୍ରହ୍ମ ବ୍ରହ୍ମାଙ୍କ ଦ୍ଵାରା ସୃଷ୍ଟିର ସର୍ଜନା ଓ କାଳ ଗଣନା ଆରମ୍ଭ ହୋଇଥିବା ବିଶ୍ବାସ ରହିଛି । ସେହି ବିଶ୍ଵାସ ଓ ସନାତନ ସଂସ୍କୃତିକୁ ମନେପକେଇବା ପାଇଁ ଖଡିଆଳଠାରେ ହିନ୍ଦୁ ନବବର୍ଷକୁ ବହୁ ଧୁମଧାମରେ ପାଳନ କରାଯାଉଛି । ହିନ୍ଦୁ ନବବର୍ଷ ପାଳନ ସମିତି ପକ୍ଷରୁ ପ୍ରଥମେ ଖଡିଆଳ ବଡ ଦଧିବାମନ ମନ୍ଦିରରେ ପୂଜାର୍ଚ୍ଚନା ହେବା ପରେ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।
ଏହି ସାଂସ୍କୃତିକ ଶୋଭାଯାତ୍ରାରେ ହଜାର ହଜାର ଜନସାଧାରଣ ସାମିଲ ହୋଇଥିବା ବେଳେ ଘୁମୁରାନୃତ୍ୟ, ସଂକୀର୍ତ୍ତନ ଦଳ ଓ ଦୁଲଦୁଲି ବାଜାର ଧ୍ୱନିରେ ଖଡିଆଳ ସହର ପ୍ରକମ୍ପିତ ହୋଇଥିଲା । ପରେ ଖଡିଆଳ ଅଗ୍ରେସନ ଭବନଠାରେ ହିନ୍ଦୁ ନବବର୍ଷ ପାଳନ ସମିତି ପକ୍ଷରୁ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଏଥିରେ ଖଡିଆଳ ନଗରପାଳ ଉଜ୍ବଳ ଗୁପ୍ତାଙ୍କ ସମେତ ଖଡିଆଳ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ହିନ୍ଦୁ ନବବର୍ଷ ପାଳନର ମହତ୍ବ ଓ ସନାତନ ସଂସ୍କୃତି କିଭଳି ଲୋକଙ୍କ ନିକଟରେ ଆଦୃତ ହୋଇ ରହି ପାରିବ ସେନେଇ ଆଲୋଚନା କରିଥିଲେ । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର କୁନି କୁନି କଳାକାରମାନେ ଯୋଗଦେଇ ନୃତ୍ୟଗୀତ ପରିବେଷଣ କରି ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।
Also Read: ହିନ୍ଦୁ ନବବର୍ଷ ପାଳନ ଅବସରରେ ଗୀତ ଗାଇଲେ ସମ୍ବଲପୁର କମିଶନର