ଚଳିତ ବର୍ଷ କରୋନା କଟକଣା ପାଇଁ ଫିକା ପଡିଲା ଭୁବନର ଐତିହାସିକ ବଳଦଯାତ୍ରା, ଜାଣନ୍ତୁ ଏହାକୁ ପାଳନ କରିବା ପଛରେ କଣ ରହିଛି ଇତିହାସ

କାମାକ୍ଷାନଗର: ପାର୍ବଣରେ ଚଳଞ୍ଚଚଳ ହୋଇଉଠେ ଗାଁଠୁ ସହର। କିନ୍ତୁ ଏଥର କରୋନା କଟକଣା ପାଇଁ ସବୁକିଛି ଯେମିତି ଫିକା ପଡିଯାଇଛି। ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଭୁବନରେ ପ୍ରତିବର୍ଷ ବିଜୟା ଦଶମୀ ଓ ଏକାଦଶୀରେ ଅନୁଷ୍ଠିତ ହୋଇଥାଏ ପାରମ୍ପାରିକ ବଳଦ ଯାତ୍ରା। ପ୍ରାୟ ୫୦ଟି ବଳଦକୁ ସୁସଜ୍ଜିତ କରାଯାଇ ପାରମ୍ପାରିକ ଓ ଆଧୁନିକ ବାଦ୍ୟ ସହ ଲାଇଟ୍‌ ରୋଷଣିରେ ଶୋଭାଯାତ୍ରା କରାଯାଏ। ସମସ୍ତ ବଳଦ ବିଚଳିତ ନହୋଇ ସାରାରାତ୍ରୀ ଶୋଭାଯାତ୍ରା କରନ୍ତି। ଆଉ ଏହାକୁ ଦେଖିବାକୁ ଜମେ ଲକ୍ଷାଧିକ ଲୋକଙ୍କ ସମାଗମ ।

ହେଲେ ଏଥର କରୋନା କଟକଣା ପାଇଁ ଜିଲ୍ଲା ପ୍ରସାଶନ ମାତ୍ର ୨ଟି ବଳଦକୁ ଯାତ୍ରା ପାଇଁ ଅନୁମତି ଦେଇଥିଲା। ନା ଥିଲା ଲୋକଙ୍କ ଗହଳି ନା ଥିଲା ପୂର୍ବଭଳି ଖୁସି । ନିରାଡମ୍ବରରେ ଶେଷ କରାଯାଇଛି ଏହି ଯାତ୍ରା। ଏହିଯାତ୍ରା ଶତାଧିକ ବର୍ଷ ତଳର। ଇତିହାସରୁ ଜଣାଯାଏ ଭୁବନରେ ଶତାଧିକ ଥୋରିଆ ସମ୍ପ୍ରଦାୟର ଲୋକ ବାସ କରନ୍ତି। ପୂର୍ବରୁ ଯେତେବେଳେକି ଯାନବାହନ ପ୍ରଚଳନ ନଥିଲା ଏମାନେ ବଳଦ ପିଠିରେ ଜିନିଷ ନେଇ ବାହାର ରାଜ୍ଯରେ ବାଣିଜ୍ଯ କରୁଥିଲେ।

bull festଦଶହରା ସମୟରେ ବର୍ଷକେ ଥରେ ଗାଁକୁ ଫେରୁଥିଲେ । ଆଉ ସେହି ସମୟରେ ବଳଦକୁ ପୂଜାର୍ଚନା କରିବା ପରେ ଶୋଭାଯାତ୍ରା କରି ଭୁବନର ଆରାଧ୍ୟ ଦେବୀ ମା ବଣିଜାରୀଙ୍କ ବେଢା ପରିକ୍ରମା କରୁଥିଲେ। ପରେ ସ୍ୱତନ୍ତ୍ର ପଣା ଓ ଭୋଗ ଦେବା ପରେ ପୁଣି ବଣିଜ କରିବାକୁ ଫେରିଯାଉଥିଲେ। କିନ୍ତୁ ଆଜି ଆଉ ସେ ବଳଦ ପିଠିରେ ବଣିଜ ନାହିଁ, କିନ୍ତୁ ଭୁବନ ବାସୀ ସେହି ପରମ୍ପରାକୁ ଆଜି ଯାଏ ବଞ୍ଚାଇ ରଖିଛନ୍ତି। କରୋନା କଟକଣା ପାଇଁ ଏଥର ପାରମ୍ପାରିକ ବଳଦ ଯାତ୍ରା ଫିକା ପଡିଥିବାସହ ସମସ୍ତଙ୍କ ମନ ଦୁଃଖ ହୋଇଛି। ହେଲେ ସରକାରଙ୍କ ନିୟମକୁ ସମସ୍ତେ ମାନିଛନ୍ତି। ଆଉ ଅପେକ୍ଷା କରିଛନ୍ତି ଆଗାମୀ ବର୍ଷକୁ।

କାମାକ୍ଷାନଗର ରୁ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.