କାଲିଠୁ ଉପର ଓ ତଳ ପଡ଼ିଆରେ ଜମିବ ବାଲିଯାତ୍ରା, ସନ୍ଧ୍ୟା ୫ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
କଟକ : ଆସନ୍ତାକାଲିଠୁ ଐତିହାସିକ କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଂଧ୍ୟା ୫ଟାରେ ଉଦଘାଟନ କରିବେ । ଏଥର ବାଲିଯାତ୍ରାକୁ ଆନ୍ତର୍ଜାତୀକ ରୂପ ଦେବାକୁ ୧୩ଟି ରାଜ୍ୟର ରାଷ୍ଟ୍ରଦୂତ ଅତିଥି ଭାବେ ବାଲିଯାତ୍ରା ବୁଲିବାକୁ ଆସିବେ। ସମସ୍ତେ ମହାନଦୀ ସିଲଭର ସିଟି ବୋର୍ଟ କ୍ଲବରୁ ଚାରୋଟି ସୁସଜ୍ଜିତ ବୋର୍ଟ ରେ ଆସି ଗଡଗଡିଆ ରେ ଓହ୍ଲାଇବେ । ସେଠାରୁ ଉପର ଓ ତଳ ପଡିଆ ବାଲିଯାତ୍ରା ବୁଲି ଦେଖିବେ । ୮ ଦେଶର କଳାକାର ପ୍ରତିଦିନ ସଂଧ୍ଯାରେ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚ ରେ ନୃତ୍ଯ ଗୀତ ପରିବେଷଣ କରିବେ ।
ଏହା ସହିତ ବାଲିଯାତ୍ରାରେ ଦକ୍ଷିଣ ପୂର୍ବ ଆଠଟି ଦେଶର ଷ୍ଟଲକୁ ନେଇ ଏକ ନୂଆ ପାଭିଲିୟନ ପ୍ରତିଷ୍ଠା ହେବ। ଏଥର ଉପର ଓ ତଳ ବାଲିଯାତ୍ରା ପଡିଆରେ ମୋଟ ୨୫ଶହ ଛୋଟ ବଡ ଷ୍ଟଲ ହେଉଛି। ୮ ଦିନରେ କିଣାବିକାର ଆସର ସାଙ୍ଗକୁ ବୁଲାବୁଲି ଓ ସୁସ୍ବାଦୁ ଖାଦ୍ଯ ର ମଜ୍ଜା ନେବେ ପ୍ରାୟ ୬୦ ଲକ୍ଷ ଲୋକ । ଏଥର ବାଲିଯାତ୍ରା ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଓରମାସ ଓ ଜାତୀୟ ଗାନ୍ଧୀ ଶିଳ୍ପ ବଜାରରେ ବିଭିନ୍ନ ରାଜ୍ୟର ଗ୍ରାମିଣ ତଥା ଘରକରଣା ସାମଗ୍ରୀ ମିଳିବ । ସୁସ୍ବାଦୁ ଖାଦ୍ଯ ଲୋକଙ୍କୁ ପ୍ରରସିବା ପାଇଁ ବିଭିନ୍ନ ରାଜ୍ୟର ଷ୍ଟଲ ହୋଇଛି । ନଦୀକୂଳରେ ଏଥର ଲେଜର ସୋ, ଡ୍ରୋନ ସୋ, ୱାଟର ସ୍ପୋର୍ଟସ, କାଇଟ ଫେଷ୍ଟିଭାଲ ହେବ । ଏଥର ଡ୍ରୋନ ସୋ ରେ ୪୦୦ ଡ୍ରୋନ ଭାଗ ନେବେ । ବିଭିନ୍ନ ପ୍ରକାର ଦୋଳି, ଅନନ୍ତ ଦୁନିଆ ଭଳି ଖେଳ ଓ କାଳ୍ପନିକ ଦୁନିଆ ବୁଲିବେ ଦର୍ଶକ । ଉଭୟ ପଡିଆ କୁ ସଫା ସୁତୁରା ଓ ଧୂଳିରୁ ରକ୍ଷା କରିବା ପାଇଁ ଆଜିଠୁ କେମିକାଲ ସ୍ପ୍ରେ ହେବ । ଏଥି ସହିତ ଲୋକଙ୍କ ପାଇଁ ୩୮୫ ଟି ମୋବାଇଲ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ୭୦ ପ୍ଲାଟୁନ ଫୋର୍ସ ଉଭୟ ପଡିଆ ଓ ଟ୍ରାଫିକ ପୋଷ୍ଟରେ ନିୟୋଜିତ ହେବେ ।