ଅଧ୍ୟାପକରୁ OAS ହେଲେ ପିକେ ହିତାଂଶୁ, ଗାଁରେ ଦିଆଯାଉଛି ସମ୍ବର୍ଦ୍ଧନା

ଜଣେ ଯୁବକଙ୍କୁ ଫୁଲତୋଡ଼ା ଦେଇ ନାଚି ନାଚି ଗାଁ ଲୋକେ ପାଛୋଟି ନେଇଛନ୍ତି । ଯୁବକ ହେଉଛନ୍ତି ଜଣେ ଅଧ୍ୟାପକ । ପିଲାମାନଙ୍କୁ ପାଠ ପଢ଼ାଇବା ସହ ନିଜ ଦୈନନ୍ଦିନ କାମରୁ ସମୟ ବାହାର କରି ଓଡ଼ିଶା ପ୍ରଶାସନିକ ସେବା ବା ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଆଉ ତାଙ୍କ ପରିଶ୍ରମ ସଫଳ ବି ହୋଇଛି । ଯାହା ଗାଁ ଓ ପରିବାର ଲୋକଙ୍କ ପାଇଁ ଆଣି ଦେଇଛି ଖୁସିର ଲହରୀ ।
ଜଣେ ସଫଳ ଛାତ୍ର ଥିଲେ ପି.କେ. ହିତାଂଶୁ । ପାଠ ପଢ଼ି ଅଧ୍ୟାପକ ହେଲେ । ଏବେ ଓପିଏସସିରେ ସଫଳ ହୋଇ ଓଏଏସ ଅଧିକାରୀ ହେବାକୁ ଯାଉଛନ୍ତି । ଗ୍ରାମବାସୀଙ୍କ ସ୍ୱାଗତରେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି ହିତାଂଶୁ ।
କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମାଣିକପାଟଣା ଗାଁର ନିବାସୀ ତଥା ସମାଜସେବୀ ପ୍ରତାପ ଜେନା ଓ ଶିକ୍ଷୟିତ୍ରୀ କବିତା ଖିଲାରଙ୍କ ପୁଅ ପିକେ ହିତାଂଶୁ ଜେନା । ତାଙ୍କୁ ମାଣିକପାଟଣା ପଞ୍ଚାୟତ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ପଞ୍ଚାୟତ ପରିକ୍ରମା ସମୟରେ ହିତାଂଶୁଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ବାପା ମା’ଙ୍କ ସହିତ ପଞ୍ଚାୟତବାସୀଙ୍କ ଆଶୀର୍ବାଦରୁ ତାଙ୍କୁ ଏହି ସଫଳତା ମିଳିଛି ବୋଲି ହିତାଂଶୁ କହିଛନ୍ତି ।
ଦୃଢ ଇଛାଶନ୍ତି ଓ କଠିନ ପରିଶ୍ରମ ଆଗରେ ତାଙ୍କର ଏ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଓଏଏସ୍ ଅଫିସର ହେଲେ ସେ ଗାଁରେ ଉନ୍ନତି ଆଣିବେ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି ।