ପୂର୍ବତନ ତଥା ବର୍ତ୍ତମାନର ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି, ଅନୁମୋଦନ ଦେଲେ ମାନ୍ୟବର ବାଚସ୍ପତି ଶ୍ରୀ ଆରୁଖ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବାର୍ଷିକ ସ୍ୱାସ୍ଥ୍ୟବୀମା ପରିମାଣ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୧୨-୧୩ ଆର୍ଥିକ ବର୍ଷରୁ ରାଷ୍ଟ୍ରୀୟ ବୀମା କମ୍ପାନୀ ମାଧ୍ୟମରେ ବିଧାୟକ ଓ ପୂର୍ବତନ ବିଧାୟକ ଓ ସେମାନଙ୍କର ପତ୍ନୀଙ୍କ ନିମନ୍ତେ ବାର୍ଷିକ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମାର ସୁବିଧା ଯୋଗାଇ ଦିଆଯାଉଛି । ସ୍ୱାସ୍ଥ୍ୟସେବାର ବ୍ୟୟବୃଦ୍ଧି ଦୃଷ୍ଟିରୁ ମାନ୍ୟବର ବିଧାୟକ ଏବଂ ପୂର୍ବତନ ବିଧାୟକମାନେ ଏହି ସ୍ୱାସ୍ଥ୍ୟବୀମା ରାଶିର ପରିମାଣ ବୃଦ୍ଧି କରିବା ନିମନ୍ତେ ବାରମ୍ବାର ଦାବି କରିଆସୁଥିଲେ। ତଦନୁଯାୟୀ ମାନ୍ୟବର ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ସ୍ୱାସ୍ଥ୍ୟବୀମା ରାଶିକୁ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାର ନିମନ୍ତେ ଉପସ୍ଥାପନ କରାଯାଇଥିଲା।

ଉକ୍ତ ପ୍ରସ୍ତାବକୁ ବିଚାର କରି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଏହି ବୃଦ୍ଧି ପ୍ରସ୍ତାବ ଉପରେ ସହମତି ପ୍ରଦାନ କରିଥିଲେ। ଅର୍ଥ ବିଭାଗର ଉକ୍ତ ସହମତି କ୍ରମେ ପ୍ରତ୍ୟେକଙ୍କୁ ଏକ ବର୍ଷ ଅବଧି ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ନବୀକରଣ ପ୍ରସ୍ତାବକୁ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଓଡ଼ିଶା ବିଧାନସଭାର ମାନ୍ୟବର ସଦସ୍ୟସଦସ୍ୟାମାନଙ୍କ ମଧ୍ୟରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ବାଦଦେଇ ୧୨୪ ଜଣ ବିଧାୟକ/ବିଧାୟିକା ଏବଂ ତାଙ୍କର ୮୮ ଜଣ ସ୍ବାମୀ/ସ୍ତ୍ରୀ, ଏହି ପରି ମୋଟ ୨୧୨ ଜଣଙ୍କୁ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟବୀମାର ସୁବିଧା ମିଳିବ। ଏଥି ସହିତ ଓଡ଼ିଶା ବିଧାନସଭାର ୩୧୭ ଜଣ ପୂର୍ବତନ ବିଧାୟକ/ବିଧାୟିକା ଏବଂ ସେମାନଙ୍କର ୨୪୫ ଜଣ ସ୍ବାମୀ/ସ୍ତ୍ରୀ, ଏହି ପରି ମୋଟ ୫୬୨ ଜଣ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟବୀମାର ସୁବିଧା ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.