ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ, ଶ୍ମଶାନ ବାହାରେ ସମର୍ଥକଙ୍କ ପ୍ରବଳ ଗହଳି

ଭୁବନେଶ୍ୱର : ଆରପାରିରେ ପ୍ରସିଦ୍ଧ ଅଭିନେତା ଉତ୍ତମ ମହାନ୍ତି । ଶୋକସନ୍ତପ୍ତ ପରିବାର, ପ୍ରଶଂସକ ଉତ୍ତମଙ୍କୁ ଶେଷ ବିଦାୟ ଦେଇଛନ୍ତି । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇ ଥିଲା । ଶ୍ମଶାନ ବାହାରେ ସମର୍ଥକଙ୍କ ପ୍ରବଳ ଗହଳି ଲାଗିଛି । ଓଡିଆ ସିନେମାର ସେ ଏକମାତ୍ର ନାୟକ ଯେ କିମ୍ବଦନ୍ତୀ ଆଧାରିତ ଫିଲ୍ଲ କରିପାରିଥିଲେ । ହେଲେ ଆଉ ନାହାନ୍ତି ସେହି ମହାନ କଳାକାର ।
ତାଙ୍କୁ ଝୁରୁଛନ୍ତି ଗାଁ ମାଟି ଝୁରୁଛି ପଡୋଶୀ ଝୁରୁଛି ସହପାଠୀ , ଏବେ ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଓଲିଉଡ଼ ସହ ଜଡିତ ବ୍ୟକ୍ତିବିଶେଷମାନେ ପହଂଚିଥିବାବେଳେ ବାସଭବନରେ ଶେଷ ଦର୍ଶନ ପରେ ସତ୍ୟନଗର ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଦିଲ୍ଲୀ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଉତ୍ତମ ମହାନ୍ତି ଗତକାଲି ରାତିରେ ଆଖି ବୁଜି ଥିଲେ । ଏହାପରେ ଆଜି ଦିଲ୍ଲୀରୁ ବିମାନ ଯୋଗେ ମରଶରୀରକୁ ଭୁବନେଶ୍ବର ଅଣାଯାଇ ଥିଲା । ବିମାନବନ୍ଦରରେ ପହଞ୍ଚିବା ପରେ ବରମୁଣ୍ଡା ଜଗନ୍ନାଥବିହାର ସ୍ଥିତ ବାସଭବନକୁ ନିଆଯାଇଥିଲା । ଏବେ ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ଭିଡ଼ ଲାଗି ଥିଲା । ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ୬୭ ବର୍ଷ ବୟସରେ ଚିରବିଦାୟ ନେଇଛନ୍ତି ଉତ୍ତମ । ସେ ଲିଭର ସିରୋସିସରେ ଆକ୍ରାନ୍ତ ଥିଲେ । ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।
Also read: ଶେଷଯାତ୍ରାରେ ସୁପରଷ୍ଟାର ଉତ୍ତମ, ଜଗନ୍ନାଥ ବିହାର ବାସଭବନରୁ ବାହାରିଲା ଶୋଭାଯାତ୍ରା