ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ମାଣ ହୋଇଛି ସାତ ମହଲା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟ । ଏଥିରେ ରୋଗୀଙ୍କ ସ୍ବାସ୍ଥ୍ୟ ସେବା ପାଇଁ ରହିଛି ଅତ୍ୟାଧୁନିକ ଯନ୍ତ୍ରାଂଶ । ହେଲେ ଏବେ ମେଡିକାଲ ବିଲ୍ଡିଂର ଅବସ୍ଥା ଅତି ଶୋଚନୀୟ । କେଉଁଠି ଟାଇଲ ଦବି ଯାଉଛି ତ ଆଉ କେଉଁଠି ଫାଉଣ୍ଡେସନ ଦବୁଛି । ତେବେ ନିକଟରେ ଓଡ଼ିଶାରେ ଭୂମିକମ୍ପ ହୋଇଥିବା ନେଇ ନଜିର ରହିଛି । ଆଉ ଆଗାମୀ ଭବିଷ୍ୟତରେ ଯଦି ଭୂମିକମ୍ପ ହୁଏ ତେବେ ଏ ଡାକ୍ତରଖାନାର ଅବସ୍ଥା କଣ ହେବ ନକହିବା ଭଲ । ଏନେଇ ଚିନ୍ତାରେ ଅଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ ।
ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ବାହାର ଦେଖିବାକୁ ଭାରି ଚକଚକ ହେଲେ ଭିତରେ ଭାରି ବିପଦ ରହିଛି । ବିଶାଳ ୭ ମହଲା ବିଶିଷ୍ଟ ଡାକ୍ତରଖାନା ୭ କୋଟି ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି । କିନ୍ତୁ କୋଠାର କିଛି ସ୍ଥାନ ଏବେ ଦବିବାରେ ଲାଗିଛି, ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି । ଦୁର୍ଗମ ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାବାସୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ସେତେବେଳର ସରକାରଙ୍କ ସମୟରେ ଏହି ବିଶାଳ ଡାକ୍ତରଖାନା ନିର୍ମାଣ କରାଯାଇଥିଲା । ପୂର୍ବରୁ ମୁଖ୍ୟ ଚିକିତ୍ସାଳୟରେ ମହୁମାଛି ଫେଣାରେ ରୋଗୀ ଆତଙ୍କିତ ହୋଇଥିଲେ । ପରେ ଏବେ ମେଡିକାଲ ଦବିବାକୁ ନେଇ ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟମାନେ ଭୟଭୀତ ହୋଇପଡିଛନ୍ତି । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗର ଆଉଟଡୋର, ଦାନ୍ତ ବିଭାଗର ଆଉଟଡୋର, ଦାନ୍ତ ବିଭାଗର ଓଟି, ସ୍ତ୍ରୀ ରୋଗ ବିଭାଗର ଆଉଟଡୋର, ସ୍ତ୍ରୀ ରୋଗ ବିଭାଗର ସିପି, ପାଥୋଲୋଜି ଆଉଟଡୋର, ପାଥୋଲୋଜି ଗୃହ ଇତ୍ୟାଦି ଦବିବାକୁ ଲାଗିଲାଣି । ଏହା ପୂର୍ବରୁ ମଧ୍ୟ ୫ଟି ବିଭାଗର କଠୋରୀଗୁଡିକ ଦବିଥିଲା । ତେବେ ବିଭାଗୀୟ କର୍ତ୍ତୃପକ୍ଷ ସବୁ ଦେଖି ଅଣଦେଖା କରୁଥିବା ଲୋକେ କହୁଛନ୍ତି । ତୁରନ୍ତ ଏହାର ମରାମତି କରାନଗଲେ ଆଗକୁ ବଡ଼ ବିପଦ ଆସିବା ନେଇ ସମ୍ଭାବନା ରହିଛି ।
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ପୂର୍ତ୍ତ ବିଭାଗକୁ ଚିଠି ଲେଖିବା ପରେ ଏହାର ମରାମତି ହୋଇଥିଲା । ଏବେ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବ୍ରଜବନ୍ଧୁ ଦାସ ପୂର୍ତ୍ତ ବିଭାଗର ସୁପରିଟେଣ୍ଡେଣ୍ଟ ଇଂଜିନିୟରଙ୍କୁ ଏନେଇ ଅବଗତ କରାଇଥିବା କହିଥିଲେ । ପ୍ରଥମେ ମହୁଫେଣାକୁ ନେଇ ରୋଗୀ ଏବଂ ସଂପର୍କୀୟମାନେ ଆତଙ୍କିତ ହୋଇଥିବା ବେଳେ ଏବେ ମେଡିକାଲ କାନ୍ଥଗୁଡିକ ଦବିବାକୁ ନେଇ ଲୋକେ ଭୟଭୀତ ଅଛନ୍ତି ।
ରୋଗୀଙ୍କ ପାଇଁ ଏକମାତ୍ର ସାହା ଭରଷା ଏହି ଡାକ୍ତରଖାନା । କିନ୍ତୁ ଡାକ୍ତରଖାନା କେତେବେଳେ ଯେ ଦବି ଭୁଶୁଡ଼ି ପଡ଼ିବ କେହି କହି ପାରିବେନି । ତୁରନ୍ତ ଡାକ୍ତରଖାନା ମରାମତି କାର୍ଯ୍ୟ କରାଗଲେ ଅନେକ ରୋଗୀ ବିପଦରୁ ବଞ୍ଚିଯିବେ ।