ଯାଜପୁର: ଡାକ୍ତର ବିନା ଡାକ୍ତରଖାନା । କଥା ଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ପୁରା ସତ । ଏଠାରେ ଫର୍ମାସିଷ୍ଟଙ୍କ ଭରସାରେ ଚାଲିଛି ରୋଗୀ ସେବା । ମୋଟ ତିନି ଜଣ କର୍ମଚାରଙ୍କୁ ନେଇ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ର । ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା କୋତପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର । ସ୍ଥାନୀୟ ୭/୮ଗୋଟି ପଞ୍ଚାୟତ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ବିନା ଡାକ୍ତରରେ ଚାଲିଛି । ଡାକ୍ତର ନଥିବାରୁ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ରୋଗୀ ସେବା ।
ଦିନରେ ଫାର୍ମସିଷ୍ଟ ରୋଗୀ ଦେଖୁଥିବା ବେଳେ ରାତି ହେଲେ ରୋଗୀଙ୍କୁ ଭଗବାନ ଭରସା । ଜରୁରୀ ପରିସ୍ଥିତିରେ ଅଯଥା ଖର୍ଚ୍ଚାନ୍ତ ହୋଇ ଜିଲ୍ଲା ବାହାର ମେଡିକାଲକୁ ଯିବାକୁ ପଡୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଠାରେ ନିଯୁକ୍ତ ଡାକ୍ତର ପ୍ରତ୍ୟୁଷ କୁମାର ମହାରଣା ରୋଗୀସେବା ଯୋଗାଇ ଦେଉଥିବା ବେଳେ ଗତ କିଛି ଦିନ ହେବ ସେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡେପୁଟେସନରେ ଯାଇଛନ୍ତି । ଫଳରେ ଏବେ ଏହି ଆରୋଗ୍ୟ କେନ୍ଦ୍ର ଡାକ୍ତର ଶୂନ୍ୟ ହୋଇପଡିଛି । ଦିନରେ ଫାର୍ମାସିଷ୍ଟ ରୋଗୀ ସେବା କରୁଥିବା ବେଳେ ରାତି ହେଲେ କଥା ସରିଲା ।
ତେବେ ବର୍ଷା ଋତୁ ଯୋଗୁଁ ପ୍ରତିଦିନ ହସ୍ପିଟାଲରେ ଝାଡା, ବାନ୍ତି, ଜ୍ୱର, ମ୍ୟାଲେରିଆ ସାଙ୍ଗକୁ ସର୍ପାଘାତ ରୋଗୀଙ୍କ ଭିଡ ଜମୁଛି । ଡାକ୍ତର ନ ଥିବାରୁ ରୋଗୀମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି । ଅନ୍ୟପଟେ ରୋଗୀ ସେବା ନ ପାଇ ବାଧ୍ୟ ହୋଇ ଜିଲ୍ଲା ବାହାର ଡାକ୍ତରଖାନକୁ ଯାଉଛନ୍ତି । ଏପଟେ ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅବଗତ ଥିବା ବେଳେ ଡେପୁଟେସନରେ ଯାଇଥିବା ଡାକ୍ତରଙ୍କୁ ଖୁବଶୀଘ୍ର ଫେରାଇ ଅଣାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ । ନିରୋଗ ରହିବା ପାଇଁ ସମନ୍ତେ ଚାହାଁନ୍ତି । ଏନେଇ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଏଥି ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କରୁଛନ୍ତି । କିନ୍ତୁ କ’ଣ ବାସ୍ତବରେ ଏହି ସ୍ୱାସ୍ଥ୍ୟ ସେବା ଗ୍ରାମାଞ୍ଚଳରେ ପହଞ୍ଚି ପାରୁଛି କି! ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ଗ୍ରାମାଞ୍ଚଳରେ ରୋଗୀ ସେବା ନପାଇବାରୁ ନାନା ହଇରାଣ ହରକତ ହେବା ସହ ମରଣ ମୁଖରେ ପଡୁଛନ୍ତି । ତେବେ ଏହି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପ୍ରତି ସରକାରଙ୍କ ନଜର କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା ।