ନିର୍ମାଣର ୯ ବର୍ଷ ପରେ ବି ହେଲାନି କାର୍ଯ୍ୟକ୍ଷମ । ଶେଷରେ ତାଉପର ଦେଇ ଚାଲିବ ଟ୍ରେନ ଅର୍ଥାତ ଟ୍ରେନ ରାସ୍ତାରେ ପୋତି ହେବ ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା ହଷ୍ଟେଲ । କ୍ଷତି ପୁରଣ ବାବଦକୁ ୧ କୋଟି ୧୩ ଲକ୍ଷ ଟଙ୍କା ମିଳିଛି । ହଷ୍ଟେଲ ବାବଦକୁ ମିଳିଥିବା ଟଙ୍କାରେ ନୂଆ ହଷ୍ଟେଲ ନିର୍ମାଣ ପାଇଁ ଅଚଂଳବାସୀଙ୍କ ଦାବି ।
ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାଣିଭୁଷଣପୁର ଗ୍ରାମପଂଚାୟତର ବାହାଲି, ତିଲିକୁପ, ଗୁଣ୍ଠୁରିବିଡା, ହରିଡାବିଡା, ପାଟଦହଲି, କିଟାଙ୍ଗପଡା ଆଦି ୫ ଖଣ୍ଡ ଗାଁର ଆଦିବାସୀ ଓ ହରିଜନମାନଙ୍କ ପିଲାମାନେ କିପରି ହଷ୍ଟେଲରେ ରହି ପାଠ ପଢିପାରିବେ ସେ ନେଇ ୨୦୧୬ ମସିହାରେ ୩୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଗୃହ ନିର୍ମାଣ କରାଯାଇଥିଲା । ନିର୍ମାଣ ହେବାର ୮ ବର୍ଷ ପରେ ବି ହଷ୍ଟେଲଟି କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ଆଜି ହେବ କାଲି ହେବ କହି ଅଚଂଳର ଛାତ୍ରୀମାନଙ୍କ ଶିକ୍ଷା ସହିତ ଖେଳା ଗଲା । ଫଳରେ ସମ୍ପୁର୍ଣ୍ଣ ହୋଇଥିବା ହଷ୍ଟେଲଟି ଦୀର୍ଘ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ।
ଅନ୍ୟପଟେ ହଷ୍ଟେଲ କୋଠା ଉପର ଦେଇ ଯାଉଛି ଖୋର୍ଦ୍ଧା-ବଲାଙ୍ଗିର ରେଳ ରାସ୍ତା । ସେନେଇ ହଷ୍ଟେଲ କୋଠାର ଦୁଇ ପାର୍ଶ୍ୱରେ ମାଟି ପକାଗଲାଣି । ହଷ୍ଟେଲ କୋଠା ଉପର ଦେଇ ରେଳ ରାସ୍ତା ଯାଉଥିବାବେଳେ ଏହାର କ୍ଷତିପୁରଣ ବାବଦକୁ ଜିଲା ପ୍ରଶାସନକୁ ମିଳିଛି ୧ କୋଟି ୧୩ ଲକ୍ଷ ଟଙ୍କା । ଟଙ୍କା ମିଳିବାର ବି ଦୀର୍ଘ ମାସ ବିତି ଯାଇଥିଲେ ବି ଏଯାଏଁ ଅଚଂଳର ଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ହଷ୍ଟେଲ କୋଠା ବଦଳରେ ନୂଆ ହଷ୍ଟେଲ କୋଠା ନିର୍ମାଣ କରି ପିଲାଙ୍କୁ ଶିକ୍ଷାଦାନ କରିବାରେ ବୌଦ୍ଧ ଜିଲା ପ୍ରଶାସନ ବିଫଳ ହୋଇଛି । କୋଟିକୋଟି ଟଙ୍କା ଥାଇ ମଧ୍ୟ ଏବାବଦରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ନଦେବା ପଛର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି ଅଚଂଳବାସୀ ।
ଏପଟେ ହଷ୍ଟେଲ କୋଠାଟି କାର୍ଯ୍ୟକ୍ଷମ ହେବା ପୁର୍ବରୁ ହିଁ ରେଳ ରାସ୍ତାରେ ଯାଉଥିବାବେଳେ ଏଥିପାଇଁ କ୍ଷତିପୁରଣ ମିଳିସାରିଛି । ସରକାର ଯାହା ନିଷ୍ପତି ନେବେ ବୋଲି କହିଛନ୍ତି ଜିଲା ସମାଜ ମଙ୍ଗଳ ଅଧିକାରୀ । ଏପଟେ ତୁରନ୍ତ ହଷ୍ଟେଲ ପାଇଁ ରେଳ ବିଭାଗରୁ ମିଳିଥିବା ଅନୁଦାନ ଟଙ୍କାରେ ଏକ ମଡେଲ ହଷ୍ଟେଲ କୋଠା ନିର୍ମାଣ କରି ଅଚଂଳର ଛାତ୍ରୀମାନଙ୍କୁ ଶିକ୍ଷାସେବା ଯୋଗାଇଦେବାକୁ ଦାବି ହେଉଛି ।