ତାତି ବଢୁଛି, ହେଲେ ସରକାରୀ ନିର୍ଦ୍ଦେଶକୁ ଲୋକେ ମାନୁଛନ୍ତି ତ ?

ଭୁବନେଶ୍ୱର (କେନ୍ୟୁଜ୍‌) : ଖରା ବଢୁଛି, ତାତିରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି । ପାଣିପାଗ ବିଭାଗର ଆକଳନ ହେଉଛି ଆହୁରି ବଢ଼ିବ ତାପମାତ୍ରା । ବାହାରକୁ ବାହାରିଲେ ଗରମ ପବନରେ ମୁହଁ ପୋଡ଼ି ଯାଉଛି । ଦିନ ୧୦ଟା ବେଳେ ଖରା ଲାଗୁଛି ଯେମିତି ୧୨ଟା ପରର ବୋଲି । ସେଥିଲାଗି ରାସ୍ତାରେ ଚଳପ୍ରଚଳ କମି ଯାଉଛି। ହେଲେ ଜୀବନ ଜୀବିକାକୁ ପଛରେ ପକାଇ କିଏ ବା ଘରେ ରହିବ ? ତେଣୁ ବାଧ୍ୟବାଧକତାରେ ଲୋକେ ଯାଆସ କରୁଛନ୍ତି, ଶ୍ରମିକମାନେ କାମରେ ଲାଗିଛନ୍ତି, ବସ୍‌, ଅଟୋ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନ ବି ଚାଲିଛି । ହେଲେ ଏଇଠି ଗୋଟିଏ କଥା କହିବୁ କି ସରକାର ଆଗରୁ ଘୋଷଣା କରି ସାରିଛନ୍ତି କି ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଲୋକେ ସତର୍କ ରୁହନ୍ତୁ । ବସ୍‌ ଚଳାଚଳ ଓ ଶ୍ରମିକମାନଙ୍କ କାମ ଏହି ସମୟରେ ବନ୍ଦ ରହୁ । ତେବେ ଏହି ନିର୍ଦ୍ଦେଶକୁ ମାନୁଛି ବା କିଏ । ଯଦି କଟକଣା ଜାରି କରିଥିବା ଅଧିକାରୀମାନେ ବାହାରକୁ ଆସି ଆଉ ଦେଖନ୍ତେ ତେବେ ଜାଣି ପାରନ୍ତେ ଯେ ଲୋକେ କେତେ ସତର୍କ ।

ଆଜି ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ । ସୋନପୁର ଓ ଭୁବନେଶ୍ୱର ୪୩ ଡିଗ୍ରୀ ପାର କରି ସର୍ବାଧିକ ତାପମାତ୍ରା ରେକର୍ଡ଼ରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଯଦିଓ ସରକାରୀ କିମ୍ବା ବେସରକାରୀ ସ୍ତରରୁ ଏଯାଏ ଅଂଶୁଘାତ ମୃତ୍ୟୁ ଖବର କିଛି ଆସି ନାହିଁ । ତଥାପି ଲୋକଙ୍କୁ ସତର୍କ ରହିବା ନିହାତି ଜରୁରୀ ।

ଗହଳି ସ୍ଥାନରେ ଜଳଛତ୍ର ଖୋଲିବା, ବାହାରୁ ଆସୁଥିବା ଲୋକଙ୍କୁ ସବୁଠାରୁ ଟାଣ ଖରା ସମୟରେ ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରିବା ଅଥବା ପରାମର୍ଶ ଦେବା ପ୍ରଶାସନର କାର୍ଯ୍ୟ । ତେଣୁ ଖାଲି ଘୋଷଣା କରି ବସିଗଲେ ହେବ ନାହିଁ । ତାତିରେ ଆଉଟୁ ପାଉଟୁ ହେଉଥିବା ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.