ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜୋରଦାର: ଆଜି ଇଡିରେ ହାଜର ହେଲେ ହୋଟେଲ୍ ବ୍ୟବସାୟୀ ଶିବ ପ୍ରସାଦ ଦାସ

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ଇଡି । ବଡ଼ ବଡ଼ ପ୍ରଭାବଶାଳୀଙ୍କ ନାଁ ଉଠିବା ପରେ ସେମାନଙ୍କୁ ଜେରା କରିବାକୁ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ବଡ଼ ପ୍ରସ୍ତୁତି କରିଛି ଭୁବନେଶ୍ୱର ତଦନ୍ତକାରୀ ଟିମ୍ । ଆଜି ଇଡିରେ ଭୁବନେଶ୍ୱରର ହୋଟେଲ୍ ବ୍ୟବସାୟୀ ଶିବ ପ୍ରସାଦ ଦାସ ହାଜର ହୋଇଛନ୍ତି । ସଂପୃକ୍ତ ହୋଟେଲ୍ ବ୍ୟବସାୟୀଙ୍କ ସହ ଅର୍ଚ୍ଚନାଙ୍କ ଟଙ୍କା କାରବାର ନେଇ ସୁରାକ ପାଇଛି ଇଡି । ତାଙ୍କୁ ହାଜର ହେବାକୁ ନୋଟିସ୍ ହୋଇଥିଲା। ସେ ଅର୍ଚ୍ଚନାଙ୍କୁ କେମିତି ଜାଣିଲେ ? କେବେଠାରୁ ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଅଛନ୍ତି ? କାହିଁକି ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର କରିଥିଲେ ? ହନିଟ୍ରାପ୍ ଓ ବ୍ଲାକମେଲିଂ ବାବଦରେ କଣ ଜାଣିଛନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ହୋଟେଲ୍ ବ୍ୟବସାୟୀଙ୍କ ପାଖରୁ ଜାଣିବାକୁ ଚାହିଁବ ଇଡି ।
ତଦନ୍ତ ଯେତିକି ବଢୁଛି, ସାମ୍ନାକୁ ଆସୁଛି ଅନେକଙ୍କ ସଂପୃକ୍ତି । ଏବେ ସୁଦ୍ଧା ୫ଜଣ ଇଡିରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି । ଗତକାଲି ଖଗେଶ୍ୱର ପାତ୍ରର ସହଯୋଗୀ ଅବିନାଶ ପ୍ରିୟଦର୍ଶୀଙ୍କୁ ୧୨ ଘଣ୍ଟା ଧରି ଜେରା କରାଯାଇଥିଲା । ଖଗେଶ୍ୱରଙ୍କ ପୁରୁଣା କାର ସୋ ରୁମ୍ରେ ରହି କାରବାର ବୁଝୁଥିଲେ ଅବିନାଶ ପ୍ରିୟଦର୍ଶୀ । ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ କଳା କାରନାମାକୁ ନେଇ ଅବିନାଶ ପ୍ରିୟଦର୍ଶୀଙ୍କୁ ପଚରାଉଚରା କରିଛି ଇଡି । ଦିନେ ପୂର୍ବରୁ ଇଡିରେ ହାଜର ହୋଇଥିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ତାଙ୍କ ଘରେ ୨୦୧୭ରେ ଭଡ଼ାରେ ରହୁଥିଲେ ନାଗ ଚାନ୍ଦ ଦମ୍ପତି । ପ୍ରମୋଦଙ୍କ ଘରେ ଭଡ଼ାରେ ରହୁଥିବା ବେଳେ ହନିଟ୍ରାପ୍ ଆରମ୍ଭ କରିଥିଲେ ଅର୍ଚ୍ଚନା ?